ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ: ୫ ଶିକ୍ଷାନବୀଶ ଆଇଏଏସଙ୍କ ନେତୃତ୍ୱରେ ଡିଜିପିଏସ ପଦ୍ଧତିରେ ଚିହ୍ନଟ ହେଲା ସ୍ଥାନ

ସେପଟେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଲେ ଆମିକସ କ୍ୟୁରି

439

କନକ ବ୍ୟୁରୋ: ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚାରିପଟେ ଥିବା ସମସ୍ତ ସୁରକ୍ଷିତ ଓ ଅସୁରକ୍ଷିତ କୋଠାକୁ ଉଚ୍ଛେଦ କରାଯାଇଛି । ୭୫ ମିଟର ପରିଧିରେ ଥିବା ଲଙ୍ଗୁଳି ମଠ, ଏମାର ମଠ ଓ ବଡ ଆଖଡା ମଠ ଉଚ୍ଛେଦ କରାଯାଇଥିବା ବେଳେ ମଙ୍ଗୁମଠ, ସାନ ଛତା ମଠ ଓ ପଂଜାବୀ ମଠର ଉଚ୍ଛେଦ କାର୍ଯ୍ୟ କିଛି ବିବାଦ ପାଇଁ ସ୍ଥଗିତ ରହିଥିଲା । ତେବେ ଗତକାଲିଠୁ ପ୍ରଶାସନ ପୁଣି ସକ୍ରିିୟ ହୋଇ ଉଠିଛି ।୭୫ ମିଟର ସ୍ଥାନକୁ ଡିଜିପିଏସ ପଦ୍ଧତିରେ ମାପଚୁପ କରାଯାଇ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସ୍ଥାନରେ ହଳଦିଆ ରଂଗ ଦିଆଯାଇଛି । ଏହି ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନବ ନିଯୁକ୍ତ ୫ ଆଇଏଏସଙ୍କ ସହ ଉପଜିଲ୍ଳାପାଳ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

 

ଅନ୍ୟପଟେ, ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା । ପୁରୀ ଆସି ଅନୁଧ୍ୟାନ କରି ଯାଇଥିବା ଆମିକସ କ୍ୟୁରି ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଛନ୍ତି । ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତିା ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ଏହି ୨ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଓକିଲ ଆସି ସ୍ଥିତି ଅନୁଧ୍ୟାନ କରି ଯିବେ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ କାମ ଚାଲିଥିବା ବେଳେ ଗତ ୭ ତାରିଖରେ ଆମିକସ କ୍ୟୁରି ରଂଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଆସିଥିଲେ । ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ଉଚ୍ଛେଦ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ବିକାଶ ପାଇଁ ଉଚ୍ଛେଦ କାମ ରୋକ ଲଗାଇବା ଠିକ ନୁହେଁ ବୋଲି ସ୍ଥିତି ଅନୁଧ୍ୟାନ ପରେ କହିଥିଲେ ଆମିକସ କ୍ୟୁରି ।