ଭାରତ-ଚୀନ ସୀମାରେ ସବୁଠୁ ଘାତକ ବିମାନ ଉଡାଇପାରେ ଆମେରିକା! ପରମାଣୁ ଅସ୍ତ୍ରରେ ସଜ୍ଜିତ ଏହି ବିମାନ ଶତ୍ରୁକୁ ନିପାତ କରିବାରେ ମାହିର, ଭାରତ ସହ ଖୁବଶୀଘ୍ର କରିପାରେ ଯୁଦ୍ଧାଭ୍ୟାସ ।

814

କନକ ବ୍ୟୁରୋ : ଭାରତ-ଚୀନ୍ ସୀମା ଲଦାଖରେ ଡ୍ରାଗନବାହିନୀର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଦେଖି ଆମେରିକା ନୂଆ ଷ୍ଟ୍ରାଟେଜି ଆପଣାଇଛି । ଚୀନର ଦାଦାଗିରି ବିରୋଧରେ ଭାରତର ସାଥ୍ ଦେଇଛି ଆମେରିକା । ଏଭଳି ସ୍ଥିତିରେ ଆମେରିକା ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ବେଜିଂକୁ ସାବାଡ କରିବାକୁ ଭାରତ-ଚୀନ୍ ସୀମାରେ ଆମେରିକା ପରମାଣୁ ଅସ୍ତ୍ର ବହନ କରିପାରୁଥିବା ସବୁଠୁ ଘାତକ ବୋମାବର୍ଷୀ ଲଢୁଆ ବିମାନ ବି-୨ ସ୍ପିରିଟ୍ ଉଡାଇପାରେ । ଏହି ବୋମାବର୍ଷୀ ବିମାନ ଏକାସଙ୍ଗରେ ୧୬ଟି ପରମାଣୁ ବୋମା ସହ ଆଟାକ କରିବାରେ ମାହିର । ରିପୋର୍ଟ ମୁତାବକ, ଖୁବଶୀଘ୍ର ଭାରତ-ଚୀନ୍ ସୀମାରେ ଭାରତ ସହ ଆମେରିକା ଫ୍ଲାଇ ଓଭର ମିଶନ, ଯୁଦ୍ଧାଭ୍ୟାସ କରିପାରେ । ଯେଉଁଥିରେ ଆମେରିକା ଏହି ଘାତକ ବୋମାବର୍ଷୀ ବିମାନ ସହ ଯୁଦ୍ଧାଭ୍ୟାସ କରିପାରେ ।

ଏହି ଯୁଦ୍ଧାଭ୍ୟାସ ବଳରେ ଚୀନର ପ୍ରତିରକ୍ଷା ବ୍ୟବସ୍ଥା ବାବଦରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିପାରିବ ଆମେରିକା । ଯାହା ଚୀନ ପାଇଁ ଚିନ୍ତାର କାରଣ ପାଲଟିପାରେ । ଏବେ ୩ଟି ବି-୨ ସ୍ପିରିଟ୍ ବୋମାବର୍ଷୀ ବିମାନ ଗୁଡିକ ଆମେରିକା ନିଜର ନୌସେନା ବେସ୍ ଡିଆଗୋ ଗାର୍ସିଆରେ ମୁତୟନ କରିଛି । ଆଉ ଆମେରିକାର ଏହି ବେସ୍ ଗୁଡିକ ଭାରତ ଠାରୁ ମାତ୍ର ୧ ହଜାର ମାଇଲ ଦୂରରେ ରହିଛି । ତେଣୁ ଖୁବ୍ କମ ସମୟ ମଧ୍ୟରେ ଏହି ବେସରୁ ଭାରତ ଅଭିମୁଖେ ଆସିପାରିବ ଆମେରିକାର ଏହି ଘାତକ ଅସ୍ତ୍ର । ଆଫଗାନିସ୍ତାନ ଯୁଦ୍ଧ ସମୟରେ ଆମେରିକା ଏହି ବେସରୁ ନିଜର ବୋମାବର୍ଷୀ ବିମାନ ଗୁଡିକ ପଠାଇ ଆକ୍ରମଣ କରୁଥିଲା ।

ଆମେରିକାରୁ ୨୯ ଘଣ୍ଟାର ଯାତ୍ରା ପରେ ଡିଆଗୋ ଗାର୍ସିଆ ବେସରେ ପହଞ୍ଚିଛି ୩ଟି ବି-୨ ସ୍ପିରିଟ୍ ବିମାନ । ଆମେରିକାର ସେନା ଅଧିକାରୀ କର୍ଣ୍ଣେଲ ଖ୍ରିଷ୍ଟଫୋର ଭାରତ ନାଁ ନେଇ କହିଛନ୍ତି, ଏହି ବିମାନ ଗୁଡିକୁ ମୁତୟନ କରିବା ସ୍ପଷ୍ଟ ସୂଚାଉଛି ଯେ, ଆମେରିକା ନିଜର ବନ୍ଧୁ ରାଷ୍ଟ୍ରର ସୁରକ୍ଷା ପାଇଁ ବେଶ ଚିନ୍ତିତ । ଏହି ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଆମେରିକାର ଏହି ଘାତକ ବିମାନ ଗୁଡିକର ସିଧାସଳଖ ଟକ୍କର ଚୀନର ଏୟାର ଡିଫେନ୍ସ ସିଷ୍ଟମ ସହ । ସୀମାରେ ଉତ୍ତେଜନାମୂଳକ ସ୍ଥିତି ଦେଖି ଭାରତ-ଚୀନ୍ ସୀମାରେ ଋଷ ନିର୍ମିତ ଏସ-୪୦୦ ଓ ଏସ-୩୦୦ ଏୟାର ଡିଫେନ୍ସ ସିଷ୍ଟମକୁ ପ୍ରସ୍ତୁତ ରଖିଛି ଡ୍ରାଗନବାହିନୀ । ଏପରିକି ଏହି ଡିଫେନ୍ସ ସିଷ୍ଟମ ଟାର୍ଗେଟରୁ ଆମେରିକାର ଘାତକ ବିମାନ ମଧ୍ୟ ବର୍ତ୍ତିପାରିବନି ।

ଆମେରିକା ୩୦ ବର୍ଷର ଏହି ଘାତକ ବିମାନକୁ ବାରମ୍ବାର ଅପଗ୍ରେଡ କରି ଆସିଛି । ପୂର୍ବପେକ୍ଷା ୧୦୦୦ ଗୁଣ ଅଧିକ ଦ୍ରୁତ ଗତିରେ କାମ କରୁଥିବା ନୂଆ ସିଷ୍ଟମ ଲଗାଇଛି । ବିଶେଷଜ୍ଞଙ୍କ ମୁତାବକ, ଏହି ପରମାଣୁ ବୋମାବର୍ଷୀ ବିମାନ ଶତ୍ରୁ ପକ୍ଷର ରାଡାରରେ ସହଜରେ ଧରାପଡେ ନାହିଁ । ଯେଉଁଥିପାଇଁ ଚୁପଚାପ ଟାର୍ଗେଟକୁ ନଷ୍ଟ କରିବାରେ ମାହିର ଏହି ଘାତକ ବିମାନ । ୫୦ ହଜାର ଫୁଟ୍ ଉପରେ ଉଡିପାରୁଥିବା ଏହି ଘାତକ ବିମାନ ହଜାର ହଜାର କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ନିପାତ କରିବାରେ ସିଦ୍ଧହସ୍ତ । ତେଣୁ ଏହି ବିମାନ ଭାରତୀୟ ସୀମାରେ ଉଡିଲେ ଚୀନ୍ ଛାତିରେ ପଶିବ ଛନକା