ଆମେରିକାର ବୈଦେଶିକ ସଚିବଙ୍କ ବଡ଼ ବୟାନ : ଚୀନ୍-ଭାରତ ଉତେଜନାକୁ ଦେଖି ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜର୍ମାନୀରୁ ସେନା କମ୍ କଲା ଆମେରିକା 

3,921

କନକ ବ୍ୟୁରୋ : ଭାରତ ଓ ଚୀନ୍ ମଧ୍ୟରେ ସୀମାରେ ଉତେଜନା ଜାରି ରହିଥିବା ବେଳେ ଆମେରିକା ପକ୍ଷରୁ ଏକ ବଡ଼ ବୟାନ ଆସିଛି  । ୟୁରୋପରୁ ଆମେରିକା ନିଜର ସୌନ୍ୟ ସଂଖ୍ୟା କମ୍ କରିବା ପଛରେ ଭାରତ ସହ ସମ୍ପର୍କ ରହିଛି  । ଚୀନ୍ ପକ୍ଷରୁ ଭାରତ ପ୍ରତି ଥିବା ବିପଦ ଓ ଦକ୍ଷିଣ ଏସିଆ ବିଶେଷ କରି ଦକ୍ଷିଣ ଚୀନ୍ ସାଗରରେ ଚୀନର ମନମାନିକୁ ନଜରରେ ରଖି ଏପରି ନିଷ୍ପତି ନିଆଯାଇଥିବା ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି  । ବ୍ରସେଲସ୍ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ପଚରାଯାଇଥିଲା ଯେ, ଜର୍ମାନୀରୁ ଆମେରିକା ସୈନ୍ୟ ସଂଖ୍ୟା କମାଇବାର କାରଣ କ’ଣ  । ଏହା ଉତରରେ ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ, ଏହି ସବୁ ସୈନିକଙ୍କୁ ଅନ୍ୟତ୍ର ପଠାଯାଇଛି  । ଦକ୍ଷିଣ ଏସିଆରେ ଚୀନର ମନମାନି ଓ ଚୀନ ଆଡ଼ୁ ଭାରତକୁ ଥିବା ବିପଦକୁ ନଜରରେ ରଖି ଟ୍ରମ୍ପ ସରକାର ନିଷ୍ପତି ନେଇଛନ୍ତି  ।

ଆମେରିକୀୟ ସୈନ୍ୟକଙ୍କୁ ଉପଯୁକ୍ତ ସ୍ଥାନରେ ମୁତୟନ କରାଯାଇଛି ଓ ବର୍ତମାନ ସମୟର ଚ୍ୟାଲେଂଜର ମୁକାବିଲା କରିବା ପାଇଁ ଆମେରିକୀୟ ସେନା ପ୍ରସ୍ତୁତ ରହିଥିବା ପମ୍ପିଓ କହିଛନ୍ତି  ।   ଦକ୍ଷିଣ ଚୀନ୍ ସାଗର ପ୍ରସଙ୍ଗରେ ଚୀନର କାର୍ଯ୍ୟକଳାପ ଆମେରିକା ବିରୋଧ କରିଆସିଛି  । ଏପଟେ ଭାରତ ଓ ଚୀନ୍ ମଧ୍ୟରେ ଉତେଜନା ବେଳେ ଆମେରିକା ବୈଦେଶିକ ସଚିବଙ୍କ ଏହି ମନ୍ତବ୍ୟ ଚୀନକୁ ଚେତାବନୀ ସହ ଭାରତ ପ୍ରତି ସମର୍ଥନର ଆଭାସ ରହିଛି  ।