ଆଇଟି ସେକ୍ଟର ପରେ ଏବେ ଗଣମାଧ୍ୟମ କର୍ମଚାରୀଙ୍କ ପାଳି, ଆମେରିକାରେ ବଡ ବଡ ଗଣମାଧ୍ୟମ ଆରମ୍ଭକଲେ କର୍ମଚାରୀ ଛଟେଇ

155

କନକ ବ୍ୟୁରୋ : ସାରା ବିଶ୍ୱକୁ ଘାରିଛି ମାନ୍ଦାବସ୍ଥା ଓ ଫଳ ଭୋଗୁଛନ୍ତି ବେସରକାରୀ କର୍ମଚାରୀ । ପ୍ରଥମେ ଟ୍ୱିଟରରୁ ଛଟେଇ ଆରମ୍ଭ ହୋଇଥିଲା । ଏହାପରେ ମାଇକ୍ରୋସଫ୍ଟ, ଗୁଗଲ ଭଳି କମ୍ପାନୀମାନେ ବହୁ ସଂଖ୍ୟାର କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ଏହାରି ଭିତରେ ପୁଣି ଖବର ଆସିଛି କି ବିଶ୍ୱର ସର୍ବଶ୍ରେଷ୍ଠ ବିକଶିତ ରାଷ୍ଟ୍ରଭାବେ ଗଣନା କରାଯାଉଥିବା ଆମେରିକାର ବଡ ବଡ ଗଣମାଧ୍ୟମମାନେ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛନ୍ତି । ସିଏନଏନରୁ ଆରମ୍ଭ କରି ୱାସିଂଟନ ପୋଷ୍ଟ ପର୍ଯ୍ୟନ୍ତ ଗଣମାଧ୍ୟମମାନେ ଏବେ ଆର୍ଥିକ ସଂକଟରେ ସମ୍ମୁଖୀନ ହେଉଛନ୍ତି । ବକ୍ସ ମିଡିଆ, ଦ ୱର୍ଜ ୱେବସାଇଟ ସହିତ ନ୍ୟୁୟର୍କ ମାଗାଜିନ ଓ ଏହାର ଅନଲାଇନ ପ୍ଲାଟଫର୍ମ ମାଲିକ ଶୁକ୍ରବାର ଦିନ ଘୋଷଣା କରିଛନ୍ତି କି, ସେମାନଙ୍କ ପାଖରେ କାମ କରୁଥିବା ମୋଟ କର୍ମଚାରୀରୁ ୭ପ୍ରତିଶତ କର୍ମଚାରୀ ଛଟେଇ କରିବାକୁ ଯାଉଛନ୍ତି । ଏହାସହ ସିଏନଏନ, ଏନବିସି ଓ ଏମଏସଏନବିସି ଭଳି ଗଣମାଧ୍ୟମମାନେ ମଧ୍ୟ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଛନ୍ତି ।

ଶୁକ୍ରବାର ଦିନ ବକ୍ସ ମିଡିଆର ସିଇଓ ଜେମ ବୈଫେଫ୍ ଘୋଷଣା କରିଥିଲେ କି କମ୍ପାନୀ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏହି ଚ୍ୟାଲେଞ୍ଜପୂର୍ଣ୍ଣ ଆର୍ଥିକ ବାତାବରଣ କାରଣରୁ କମ୍ପାନୀରେ କାମ କରୁଥିବା ମୋଟ ୧୯୦୦ କର୍ମଚାରୀଙ୍କ ମଧ୍ୟରୁ ୧୩୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

ସୂଚନା ଥାଉକି ଗଣମାଧ୍ୟମରୁ ଛଟେଇ ଗୁଗଲ, ମାଇକ୍ରୋସଫ୍ଟ ଭଳି କମ୍ପାନୀର ଛଟେଇ ଭଳି ଚର୍ଚ୍ଚାକୁ ଆସୁନାହିଁ । ଏକ ରିସର୍ଚ୍ଚରୁ ଜଣାପଡିଛି କି ୨୦୦୮ ରୁ ୨୦୨୦ ମଧ୍ୟରେ ଆମେରିକା ଗଣମାଧ୍ୟମରେ ୧ଲକ୍ଷ ୧୪ ହଜାର ଲୋକ କାମ କରୁଥିଲେ । ହେଲେ ଏବେ ଏହାର ସଂଖ୍ୟା ୮୫ ହଜାରକ ୁ ଖସିଆସିଛି ।