ତାଲିବାନକୁ ନେଇ ଆମେରିକାର ବଡ ଘୋଷଣା । ସହାୟତା ପାଇଁ ଦେବ ୬୪ ମିଲିୟନ ଡଲାର ।

978

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନର ଅନ୍ତରୀଣ ସରକାର ଗଠନ ହେବା ପରେ ଏବେ ଏହାକୁ ନେଇ ଏକ ବଡ ଘୋଷଣା କରିଛି ଆମେରିିକା । ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଛି । ଯାହାର ମୂଲ୍ୟ ପାଖାପାଖି ୬୪ ମିଲିୟନ ଡଲାର ବୋଲି ଜଣାପଡିଛି ।

ମିଡିଆ ହାଉସ ଟୋଲ ନ୍ୟୁଜର ରିପୋର୍ଟ ମୁତାବକ, ମିଳିତ ଜାତିସଂଘରେ ଆମେରିକାର ରାଜଦୂତ ଲିଣ୍ଡା ଥମ୍ପସନ ଏନେଇ ଘୋଷଣା କରିବା ସହିତ ଏହାକୁ ଏକ ମାନବୀୟ ସହାୟତା ବୋଲି କହିଛନ୍ତି । ସେ କହିଛନ୍ତି, ଆଫଗାନିସ୍ତାନର ସ୍ଥିତି ଗମ୍ଭୀର ରହିଛି । ତେଣୁ ମାନବୀୟ ସହାୟତା ପୂର୍ବକ ଆମେରିକା, ଆଫଗାନିସ୍ତାନକୁ ୬୪ ମିଲିୟନ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛି । ଏଥିସହିତ ଏନେଇ ଆହୁରି ଆକଳନ ଶେଷ ହେବା ପରେ ଭବିଷ୍ୟତରେ ଆର୍ଥିକ ସହାୟତାକୁ ବଢା ଯାଇପାରେ ।

ଆମେରିକା ପୂର୍ବରୁ ଚୀନ ମଧ୍ୟ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା । ଯେଉଁଥିରେ ଆଫଗାନିସ୍ତାନକୁ ଚୀନ ପ୍ରାୟ ୩୧ ମିଲିୟନ ଡଲାର ପ୍ରଦାନ କରିଥିଲା । ଏହି ଟଙ୍କାରେ ଆଫଗାନିସ୍ତାନରେ ଖାଦ୍ୟ ବିତରଣ ଓ ଭ୍ୟାକ୍ସିନ ଆଦି କାମ ହେବା ନେଇ ଚୀନ ସୂଚନା ଦେଇଥିଲା । ଖାଲି ସେତିକି ନୁହେଁ, ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମଧ୍ୟ ଆଫଗାନିସ୍ତାନକୁ ଅନ୍ୟ ରାଷ୍ଟ୍ର ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାର ସେନା ଆଫଗାନିସ୍ତାନରେ ରହିଥିଲା । ହେଲେ ୨୦ ବର୍ଷ କାଳ ଆଫଗାନିସ୍ତାନରେ ରହିବା ପରେ କିଛି ଦିନ ତଳେ ଆମେରିକା ଆଫଗାନିସ୍ତାନରୁ ନିଜ ସେନା ପ୍ରତ୍ୟାହାର କରିଥିଲା । ଏହାପରେ ତାଲିବାନୀମାନେ ଆଫଗାନିସ୍ତାନକୁ କବଜା କରିବା ସହିତ ସେଠାରେ ନିଜର ରାଜ ଚଳାଉଛନ୍ତି । କିଛି ଦିନ ତଳେ ତାଲିବାନୀମାନେ ମଧ୍ୟ ନିଜର ଅନ୍ତରୀଣ ସରକାରର ମଧ୍ୟ ଘୋଷଣା କରିଛନ୍ତି ।