କନକ ବ୍ୟୁରୋ : ପାକିସ୍ତାନକୁ ଆମେରିକାର ତାଗିଦ । ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସଲାମାବାଦକୁ କହିଛି ଆମେରିକା । ଆତଙ୍କୀ ସଂଗଠନ ଗୁଡିକ ବିରୋଧରେ ପାକିସ୍ତାନକୁ ଦୃଢ ପଦକ୍ଷେପ ନେବାକୁ ପଡିବ ବୋଲି ଇମ୍ରାନ ସରକାରଙ୍କୁ କହିଛି ଟ୍ରମ୍ପ ପ୍ରଶାସନ । ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ମୁଖ୍ୟତଃ ଜୈସ-ଏ-ମହମ୍ମଦ ଓ ଲସ୍କର-ଇ-ତୋଇବା ବିରୋଧରେ ପାକ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ ପୁଣି ଥରେ ଆତଙ୍କୀ ହମଲା ହେଲେ ଏହା ପୁଣି ଉତେଜନାକୁ ବଢାଇବ ଯାହା ଉଭୟ ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
– ଭାରତ ଉପରେ ପୁଣି କେବେ ଆତଙ୍କବାଦୀ ହମଲା ହେଲେ ଏହାର ପରିଣାମ ଅତ୍ୟନ୍ତ ଖରାପ ହେବ ଓ ଏହାର ଫଳ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ।
– ଆତଙ୍କବାଦ ବିରୁଦ୍ଧରେ ପାକିସ୍ତାନ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ରହିଛି ।
– ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକ ବିରୁଦ୍ଧରେ ପାକିସ୍ତାନ ସରକାର ଦୃଢ଼, ସଠିକ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
– ପାକିସ୍ତାନ ଗତ କିଛି ଦିନ ମଧ୍ୟରେ ନେଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ଓ ଏ ଦିଗରେ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ।
ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଇ ଆସୁଥିବା ପାକିସ୍ତାନକୁ କୂଟନୀତି ସ୍ତରରେ ଘେରିବାକୁ ଭାରତ ଜୋରଦାର୍ ପ୍ରୟାସ କରୁଛି । ସେପଟେ ଆତଙ୍କ ବିରୁଦ୍ଧରେ ଭାରତର ଏୟାର୍ ଷ୍ଟ୍ରାଇକ୍ ଓ ଏହି ପ୍ରସଙ୍ଗରେ ସାରା ବିଶ୍ୱ ଭାରତକୁ ଦୃଢ଼ ସମର୍ଥନ ଜଣାଇବା ଏକପ୍ରକାର ନିଦ ହଜାଇ ଦେଇଛି ଇସାଲାମାବାଦର । ଏବେ ପୁଣି ଥରେ ଆମେରିକା ତାଗିଦ୍ କରିବା ପାକିସ୍ତାନର ଅଡୁଆ ବଢ଼ାଇବା ସୁନିଶ୍ଚିତ କୁହାଯାଉଛି ।