ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ: ଓକିଲାତିରୁ ଆରମ୍ଭ କରିଥିଲେ କ୍ୟାରିୟର, ଆଜି ଉପ ରାଷ୍ଟ୍ରପତି

ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହାରିସ: ଓକିଲାତିରୁ ଆରମ୍ଭ କରିଥିଲେ କ୍ୟାରିୟର, ଆଜି ଉପ ରାଷ୍ଟ୍ରପତି

କନକ ବ୍ୟୁରୋ: ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ୫୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ କମଳା ହାରିସ। ଯାହା ଆମେରିକା ସହିତ ପ୍ରତିଟି ଭାରତୀୟମାନଙ୍କ ପାଇଁ ଏକ ଗର୍ବର ବିଷୟ ହୋଇପାରିଛି। ତେବେ କମଳା ହାରିସ ନିଜର ପ୍ରାରମ୍ଭିକ ଜୀବନରେ ଓକିଲାତି କରୁଥିଲେ ବୋଲି ଆଜି ବି ଅନେକ ଲୋକ ଜାଣିନଥିବେ । ଓକିଲାତିରୁ କ୍ୟାରିୟର ଆରମ୍ଭ କରିଥିବା ଏହି ମହିଳା ଜଣକ ଆଜି ଆମେରିକା ଭଳି ରାଷ୍ଟ୍ରର ଉପ ରାଷ୍ଟ୍ରପତି ଆସନରେ ବସିଛନ୍ତି।

୧୯୬୪ ମସିହା ଅକ୍ଟୋବର ୨୦ ତାରିଖରେ କାଲିଫର୍ଣ୍ଣିଆର ଅକଲାଣ୍ଡରେ ଜନ୍ମ ନେଇଥିଲେ କମଳା ହାରିସ। ତାଙ୍କ ବାପା ଡୋନାଲ୍ଡ ଜେ ହ୍ୟାରିସ ଜାମାଇକାର ବାସିନ୍ଧା ହୋଇଥିବାବେଳେ ମା’ ଥିଲେ ଭାରତୀୟ। ତାଙ୍କର ନାଁ ଥିଲା ଶ୍ୟାମା ଗୋପାଳନ । ସେ ତାମିଲନାଡୁର ମୂଳ ବାସିନ୍ଧା ହୋଇଥିବାବେଳେ ଦୀର୍ଘ ବର୍ଷ ଧରି ଆମେରିକାରେ ରହିଆସୁଥିଲେ। କମଳାଙ୍କ ଜନ୍ମ ମଧ୍ୟ ସେହି ଆମେରିକାରେ ହୋଇଥିଲା ଏବଂ ସେ ସେଠାରେ ହିଁ ପାଠ ପଢ଼ିଥିଲେ।

କମଳା ହାରିସ୍ ଅକଲାଣ୍ଡରେ ପାଠ ପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ହାୱାର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ସେଠାରୁ ଡିଗ୍ରୀ ହାସଲ କରିବା ପରେ ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଆଇନ୍ ପାଠ ପଢ଼ିଥିଲେ । ଆଇନ୍ ପାଠ ପଢ଼ି ସାରିବା ପରେ କମଳା ହାରିସ୍ ୧୯୯୮ ମସିହାରୁ ନିଜର ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ସାନ ଫ୍ରାନ୍ସିସ୍କୋରୁ ପ୍ରଥମେ ଡିସ୍ଟ୍ରିକ୍ଟ ଆଟର୍ଣ୍ଣିଂ ଅଫିସରେ ଭାବେ କାମ ଆରମ୍ଭ କରିଥିଲେ କମଳା ହାରିସ୍। ଯେଉଁଠି ତାଙ୍କୁ କ୍ୟାରିୟର କ୍ରିମିନାଲ ୟୁନିଟର ଇନଚାର୍ଜ ରଖାଯାଇଥିଲା । ୨୦୦୩ ମସିହାରେ କମଳା ହାରିସଙ୍କୁ ସାନ ଫ୍ରାନ୍ସିସ୍କୋ କାଉଣ୍ଟିଂର ଡିସ୍ଟ୍ରିକ୍ଟ ଆର୍ଟର୍ଣ୍ଣିଂ ରୂପେ ଚୟନ କରାଯାଇଥିଲା। ଏହାପରେ ସେ କାଲିଫର୍ଣ୍ଣିଆର ଆଟର୍ଣ୍ଣିଂ ଜେନେରାଲ ହୋଇ ଇତିହାସ ରଚିଥିଲେ।

୨୦୧୬ରେ କମଲା ହାରିସ୍ କାର୍ଲିଫର୍ଣ୍ଣଆରୁ ଡେମୋକ୍ରାଟିକ ଦଳର ପ୍ରତିନିଧି ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଥିଲେ। ସେ ପ୍ରଥମ ଦକ୍ଷିଣ ଏସୀୟ ଆମେରିକୀୟ ଓ ଦ୍ୱିତୀୟ ମହିଳା ଆଫ୍ରିକୀୟ ଆମେରିକୀୟ ଭାବେ ଆମେରିକା ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ। ପ୍ରଥମ ପାଳିରେ ସେ ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୦ ଆମେରିକା ନିର୍ବାଚନରେ କମଳା ହାରିସଙ୍କୁ ଡେମୋକ୍ରାଟିକ ଦଳ ଉପ-ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା। ଜୋ ବାଇଡେନଙ୍କ ସହ ମିଶି ସେ ମଧ୍ୟ ଚତ୍ମକାର ବିଜୟ ହାସଲ କରିଥିଲେ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବା ସହିତ ଆମେରିକାର ଉପ-ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe