ଋଷଠାରୁ ଭାରତକୁ ଅଲଗା କରିବା ପାଇଁ ଆମେରିକାର ବଡ ପଦକ୍ଷେପ । ଆମେରିକା, ଭାରତକୁ ସହାୟତାର ଲୋଭ ଦେଖାଉଥିବା ଚର୍ଚ୍ଚା

270

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ଆମେରିକା ଏକ ବଡ ଖେଳ ଖେଳିବାକୁ ଯାଉଛି । ଋଷଠାରୁ ଭାରତକୁ ଦୂର କରିବା ପାଇଁ ଆମେରିକା ଜୋରଦାର ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି । ଭାରତ ସହିତ ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ କରିବାକୁ ଯାଉଛି । ଏନେଇ ଖୁବଶୀଘ୍ର ଏକ ଚୁକ୍ତି ମଧ୍ୟ ହୋଇପାରେ । ଅସ୍ତ୍ରଶସ୍ତ୍ର କିଣିବାରେ ଋଷ ଉପରେ ଥିବା ଭାରତର ନିର୍ଭରଶୀଳତାକୁ କମ୍ କରିବାକୁ ଆମେରିକା ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆମେରିକା ତରଫରୁ ଭାରତକୁ ପ୍ରାୟ ୫୦୦ କୋଟି ଡଲାରର ପ୍ୟାକେଜ୍ ମିଳିପାରେ । ଇଜ୍ରାଏଲ ଏବଂ ମିଶ୍ର ପରେ ଭାରତ ଆମେରିକାଠୁ ଏହିଭଳି ସହାୟତା ପ୍ରାପ୍ତ କରିବାରେ ସବୁଠୁ ବଡ ରାଷ୍ଟ୍ର ପାଲଟିଯିବ । କିନ୍ତୁ ଏହି ଚୁକ୍ତି କେବେ ହେବ, କେବେ ଘୋଷଣା କରାଯିବ ଏନେଇ କିଛି ସ୍ପଷ୍ଟ ହୋଇନି ।
ତେବେ ଋଷଠାରୁ ଅଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ରଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ ସବୁଠାରୁ ଉପରେ ରହିଛି । ଭାରତର ଅଧିକାଂଶ ଅସ୍ତ୍ରଶସ୍ତ୍ର ଋଷଠୁ ହିଁ କିଣାହୋଇଥାଏ । ଗତ ଏକ ଦଶନ୍ଦି ଭିତରେ ଭାରତ ଆମେରିକାଠାରୁ ୪ଅରବ୍ ଡଲାର ଏବଂ ଋଷଠାରୁ ୨୪ ଅରବ ଡଲାରରୁ ଅଧିକ ସୈନ୍ୟ ଉପକରଣ କଣିଛି । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ତାର ସାମରିକ ଶକ୍ତିକୁ ବଢାଇବା ପାଇଁ ଋଷ ଉପରେ ନିର୍ଭରଶୀଳ । ଯଦିଓ ବର୍ତ୍ତମାନ ଭାରତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ପ୍ରୟାସ ଚଲାଇଛି କିନ୍ତୁ ଚୀନ୍ ଏବଂ ପାକିସ୍ତାନ ଭଳି ଶତ୍ରୁ ରାଷ୍ଟ୍ର ସହିତ ମୁକାବିଲା ପାଇଁ ଭାରତ ଋଷଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣୁଛି । ଏଥିଲାଗି କୁହାଯାଉଛି କି, ଋଷ-ୟୁକ୍ରେନ୍ ଯୁଦ୍ଧ ଉପରେ ଆଜିଯାଏଁ ଭାରତ ମୁହଁ ଖୋଲିନି କି କୌଣସି ଆଲୋଚନାରେ ସାମିଲ ହୋଇନି ।
ତେବେ ମୋଦି ଆସନ୍ତା ସପ୍ତାହରେ ଦକ୍ଷିଣ କୋରିଆ ଗସ୍ତରେ ଯିବେ । ସେଠାରେ ବାଇଡେନଙ୍କ ସହ ଶିଖର ବାର୍ତ୍ତାରେ ସାମିଲ ହେବେ । ବୈଠକରେ ଆମେରିକା, ଭାରତ, ଜାପାନ୍ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ସାମିଲ ହେବେ । ତେବେ ବୈଠକରେ କଣ ଆଲୋଚନା ହେବ ତାହା ସମୟ ଅନୁସାରେ ଜଣାପଡିବ ।