ଭାରତ ସରକାରଙ୍କ କୃଷି ଆଇନକୁ ଆମେରିକାର ସମର୍ଥନ । ବାଇଡେନ ସରକାର କହିଲେ, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ

162

କନକ ବ୍ୟୁରୋ: କୃଷି ଆଇନକୁ ଆମେରିକାର ସମର୍ଥନ । ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏ ନେଇ ପ୍ରତିକ୍ରିୟା ରଖିଛି । ଆମେରିକା ପକ୍ଷରୁ କୁହାଯାଇଛି, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ । ଅଧିକ ସଂଖ୍ୟାରେ ଘରୋଇ କମ୍ପାନୀ ପୁଂଜିନିବେଶ ପାଇଁ ଆଗ୍ରହୀ ହେବେ । କୃଷିକୁ ଭଲ କରିବା ଲାଗି ଯେକୌଣସି ପଦକ୍ଷେପକୁ ଆମେରିକା ସ୍ୱାଗତ କରିବ । କୃଷି କ୍ଷେତ୍ରରେ ଘରୋଇ ନିବେଶକୁ ସ୍ୱାଗତ କରୁଛି ଆମେରିକା ।

ଆମେରିକା ଷ୍ଟେଟ ଡିପାର୍ଟମେଂଟର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା ବିଶ୍ୱାସ କରେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କୌଣସି ଶକ୍ତ ଗଣତନ୍ତ୍ରର ପରିଚୟ । ମତଭେଦକୁ କଥାବାର୍ତା ଜରିଆରେ ସମାଧାନ କରାଯିବା ଉଚିତ । ଏପରିକି ଭାରତର ସୁପ୍ରିମକୋର୍ଟ ମଧ୍ୟ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି । ଆମେ ମତଭେଦକୁ ଆଲୋଚନା ଜରିଆରେ ସମାଧାନ ପାଇଁ ପ୍ରୋତ୍ସାହିତ କରୁଛୁ । ସେହିପରି ବିଭିନ୍ନ ଧାରଣା ସ୍ଥଳରେ ଇଂଟରନେଟ ସେବା ବନ୍ଦ କରିଦିଆଯାଇଥିବା ନେଇ ମଧ୍ୟ ପ୍ରତିକ୍ରିୟା ରଖି ଆମେରିକା କହିଛି, କୌଣସି ବି ତଥ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପଂହଚାଇବା ଗଣତନ୍ତ୍ରର ଏକ ଭଲ ଲକ୍ଷଣ । ଇଂଟରନେଟ ବି ଏହାର ଏକ ଅଂଶ ।

କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ପାଖାପାଖି ଅଢେଇ ମାସ ହେଲା ଆନ୍ଦୋଳନ ଚଳାଇଛନ୍ତି । ଏପରିକି ସରକାରଙ୍କ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳରେ ଇଂଟରନେଟ ସୁବିଧାକୁ ବନ୍ଦ କରିଦିଆଯାଇଛି । ହରିୟାଣାର କିଛି ସ୍ଥାନରେ ବି ଇଂଟରନେଟ ସେବା ବନ୍ଦ ରହିଛି । ଏହାପରେ ଅର୍ନ୍ତଜାତୀୟ ପପ୍ ଷ୍ଟାର ରିହାନା ଓ ସ୍ୱିଡେନର କ୍ଲାଇମେଟ ଚେଂଜ ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ, ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଏପରି ସମୟରେ ଆମେରିକା ପ୍ରତିକ୍ରିୟା ରଖି କୃଷି ଆଇନକୁ ସମର୍ଥନ ଜଣାଇଛି ।