ଆମେରିକାରେ ଚୀନ୍ ସିରିଞ୍ଜକୁ ନା । ଟିକାକରଣ ପ୍ରକ୍ରିୟାରେ ବ୍ୟବହାର ହେବନି ଚୀନର ସିରିଞ୍ଜ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

400

କନକ ବ୍ୟୁରୋ : ପୂରା ବିଶ୍ୱ ଏବେ କରୋନା ମହାମାରୀ ସହ ଯୁଦ୍ଧ ଲଢୁଛି । କରୋନାକୁ ମାତ ଦେବା ପାଇଁ ଅନେକ ଦେଶରେ ଟିକାକରଣକୁ ମଧ୍ୟ ଜୋରଦାର କରିଦିଆଯାଇଛି । ଆମେରିକା ମଧ୍ୟ ଏଥିରୁ ବାଦ ପଡିନି । କରୋନା ମୁକାବିଲା ପାଇଁ ଆମେଜିକାରେ ଟିକାକରଣ ବେସ୍ ଜୋରସୋରରେ ଚାଲିଛି । ଆଉ ଏହାରି ମଧ୍ୟରେ ଟିକାକରଣ ପ୍ରକ୍ରିୟାରେ ଚୀନର ସିରିଞ୍ଜ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଇଛି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ୍ ବା ଏଫଡିଆଇ । ଚୀନର କୌଣସିବି ପ୍ରଡକ୍ଟକୁ ମେଡିକାଲ କ୍ଷେତ୍ରରେ ବ୍ୟବହାର ନକରିବା ପାଇଁ ଏଫଡିଆଇ ଆମେରିକାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ କହିଛି । ତେବେ ହଠାତ୍ କାହିଁକି ଚୀରର ସିରିଞ୍ଜକୁ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଲା ଆମେରିକା ?
ବାସ୍ତବ କଥାଟି ହୋଇଛି, ଟିକାକରଣ ବେଳେ ଚୀନ୍ ସିରିଞ୍ଜ ବ୍ୟହାର ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଥିବା ବାରମ୍ବାର ଅଭିଯୋଗ ଆସୁଥିଲା । ଯେପରିକି ଟିକା ନେବା ପରେ ଲୋକଙ୍କ ହାତ ଫୁଲିଯାଉଥିଲା… ଦୀର୍ଘ ଦିନ ଧରି ହାତ ଦରଜ ରହୁଥିଲା । ସବୁଠୁ ବଡ କଥା ହେଉଛି ଟିକା ଦେବା ସମୟରେ ସିରିଞ୍ଜ ଛୁଞ୍ଜି ଭାଙ୍ଗି ବ୍ୟକ୍ତିଙ୍କ ହାତରେ ରହିଯାଉଥିବା ବାରମ୍ବାର ଅଭିଯୋଗ ଆସିଥିଲା । ଯାହାକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକ୍ରିୟାରେ ଚୀନ୍ ସିରିଞ୍ଜକୁ ବ୍ୟବହାର ନକରିବା ପାଇଁ ନିଷ୍ପତ୍ତି ନେଇଛି ଆମେରିକା ।
ଏଠାରେ ଆମେ କହିରଖୁଛୁ କି, ଆମେରିକାରେ ଟିକାକରଣ ପ୍ରକ୍ରିୟା ଦ୍ରୁତ ବେଗରେ ଆଗେଇ ଚାଲିଛି । ଏବେ ପର୍ଯ୍ୟନ୍ତ ପ୍ରାୟ ୨୮ କୋଟି ଲୋକଙ୍କୁ ଟିକା ଦିଆସରିଲାଣି । ସେଥି ମଧ୍ୟରୁ ୧୨ କୋଟିରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି ।