ସାରା ବିଶ୍ୱରୁ ସମାଲୋଚନା ପରେ ଭାରତକୁ ଟିକା କଞ୍ଚାମାଲ ଯୋଗାଇବାକୁ ରାଜି ହେଲା ଆମେରିକା । ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ପୂରଣ ପାଇଁ ବାଇଡେନ ସରକାରଙ୍କ ପ୍ରତିଶ୍ରୁତି

317

କନକ ବ୍ୟୁରୋ: ଯେତେବେଳେ କୋଭିଡକୁ ନେଇ ଭାରତ ସଂକଟଜନକ ସ୍ଥିତି ଦେଇ ଗତି କରୁଛି, ଯେତେବେଳେ ଭାରତରେ ଦୈନିକ ସଂକ୍ରମଣ ବଢି ବଢି ଚାଲିଛି, ଠିକ ସେତିକି ବେଳେ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟକୁ ନେଇ ବିଶ୍ୱ ସମୁଦାୟ ପକ୍ଷରୁ ଆରମ୍ଭ ହୋଇଯାଇଛି ସମାଲୋଚନା । ଆଉ ଏହି ସମାଲୋଚନା ଭିତରେ ଦୀର୍ଘଦିନ ଧରି ନିରବ ରହିଥିବା ଆମେରିକା ଶେଷରେ ମୁହଁ ଖୋଲିଛି । ଭାରତରେ ଟିକା ନିର୍ମାଣ ପାଇଁ ଆବଶ୍ୟକ ର-ମ୍ୟାଟେରିଆଲ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ସହିତ ମେଡିକାଲ ସମ୍ବନ୍ଧିତ ସମସ୍ତ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି ବାଇଡେନ ସରକାର ।

ଭାରତରେ କୋଭିସିଲଡ ଭାକସିନ ପ୍ରସ୍ତୁତ କରିବା ପାଇଁ ଆମେରିକା ତତକ୍ଷଣାତ ସହାୟତା ପ୍ରଦାନ କରିବ ବୋଲି କହିଛି । ଭାରତରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ କୋଭିଡ ରୋଗୀଙ୍କୁ ସହାୟତା ପାଇଁ ପିପିଇ କିଟସ, ଟେଷ୍ଟିଂ କିଟସ ଯୋଗାଇବ ଆମେରିକା । ଯାହା ଫଳରେ ଆଗଧାଡିର କରୋନା ଯୋଦ୍ଧା ଏବଂ ରୋଗୀଙ୍କୁ ବଂଚାଇହେବ । ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିଭାନ କହିଛନ୍ତି, ଆମେରିକା ଭିତିଭୂମି କ୍ଷେତ୍ରରେ ଭାରତକୁ ଅଧିକରୁ ଅଧିକ ସହାୟତା ଯୋଗାଇଦେବାକୁ ଯାଉଛି ।

ସୁଲିଭାନ ଟୁଇଟ କରି କହିଛନ୍ତି, ଭାରତର ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ସହିତ ଭାରତରେ ବଢୁଥିବା କୋଭିଡ ସଂକ୍ରମଣ ନେଇ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଏହାକୁ ନେଇ ଭାରତ ଏବଂ ଆମେରିକା ମିଳିତ ଭାବେ ନଜର ରଖିବେ । ଭାରତର ଜନସାଧାରଣଙ୍କ ସହିତ ବେଶ ଦୃଢତାର ସହିତ ଛିଡା ହୋଇଛି ଆମେରିକା । କୋଭିଡ ମୁକାବିଲା କ୍ଷେତ୍ରରେ ଭାରତକୁ ଆବଶ୍ୟକ ଉପାଦାନ ଯୋଗାଇଦେବ ଆମେରିକା ।

ଏକ ବାର୍ତା ଜାରି କରି ଆମେରିକା କହିଛି ଯେତେବେଳେ ପ୍ରଥମେ ପ୍ରଥମେ କରୋନା ମହାମାରୀ ଆରମ୍ଭ ହୋଇଥିଲା , ସେତେବେଳେ ଆମେରିକାରେ ହସ୍ପିଟାଲର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇଯାଇଥିଲା । ସେଭଳି ଏକ ଘଡିସନ୍ଧି ମୁହୁର୍ତରେ ସହାୟତାର ହାତ ବଢାଇଥିଲା ଆମେରିକା । ଏବେ ଯେତେବେଳେ ଭାରତର ଦରକାର ପଡିଛି, ସେତେବେଳେ ଆମେରିକା ନିଶ୍ଚିତ ଭାବେ ସହଭାଗିତାର ହାତ ବଢାଇବ ବୋଲି ସୁଲିଭାନ କହିଛନ୍ତି ।

ଆମେରିକା ଆଡୁ ସହାୟତାର ହାତ ସେତେବେଳେ ବଢିଥିଲା ଯେତେବେଳେ ୟୁରୋପୀୟ ସଂଘ, ଜର୍ମାନୀ, ବ୍ରିଟେନ, କାନାଡା ଭାରତ ପ୍ରତି ସମ୍ବେଦନଶୀଳ ହୋଇ ଆବଶ୍ୟକ ସହାୟତା ଦେବା ପାଇଁ ଘୋଷଣା କଲେ । ସେପଟେ ଆମେରିକା ନିରବ ରହିଥିବାରୁ ବିଶ୍ୱ ସମୁଦାୟ ପକ୍ଷରୁ ବିବିନ୍ନ ସ୍ତରରେ ଆମେରିକାକୁ ସମାଲୋଚନା କରାଗଲା । ତାହା ପରେ ଯାଇ ଆମେରିକା ସାହାଯ୍ୟ କରିବାକୁ ଆଗେଇ ଆସିଲା ।