ଆମେରିକା ପାଖରେ ସରିଆସିଲାଣି ପରମାଣୁ ଅସ୍ତ୍ର: ପ୍ରଥମଥର ପାଇଁ ବିଶ୍ୱକୁ ଦେଲା ଏମିତି ସୂଚନା

336

କନକ ବ୍ୟୁରୋ: ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକା ନିଜ ପାଖରେ ଥିବା ପରମାଣୁ ଅସ୍ତ୍ରର ସୂଚନା ଦେଇଛି । ଆଉ ଆମେରିକା ପାଖରେ ଏବେ ପରମାଣୁ ଅସ୍ତ୍ର କମିଆସୁଥିବାର ସୂଚନା ଦିଆଯାଇଛି । ଟ୍ରମ୍ପଙ୍କ ପରେ ବାଇଡେନ ସରକାର ଆମେରିକା ପରମାଣୁ ଅସ୍ତ୍ରକୁ ସାର୍ବଜନୀନ କରିଛନ୍ତି । ଟ୍ରମ୍ପ ସରକାର ସମୟରେ ପରମାଣୁ ଅସ୍ତ୍ର ବିଷୟରେ ସୂଚନା ଦିଆଯିବା ନେଇ ରୋକ ଲଗାଯାଇଥିଲା ।

ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି କି, ୩୦ ସେପ୍ଟେମ୍ବର ୨୦୨୦ ଯାଏଁ ଆମେରିକା ସେନା ପାଖରେ ୩,୭୫୦ ସକ୍ରିୟ ଓ ନିଷ୍କ୍ରିୟ ପରମାଣୁ ଅସ୍ତ୍ର ରହିଥିଲା । ଏହି ସଂଖ୍ୟା ୨୦୧୯ ତୁଳନାରେ ୫୫ ଓ ୨୦୧୭ ତୁଳନାରେ ୭୭ଟି ଅସ୍ତ୍ର କମ ହୋଇଛି । ଏହି ସଂଖ୍ୟାରୁ ଜଣାପଡୁଛି କି ୧୯୬୭ ମସିହାରେ ଋଷ ସହ ହୋଇଥିବା ଶୀତଳ ଯୁଦ୍ଧ ପରେ ପରମାଣୁ ଅସ୍ତ୍ର କମିବାରେ ଲାଗିଛି । ଏହି ସମୟରେ ଆମେରିକା ପାଖରେ ୩୧, ୨୫୫ ପରମାଣୁ ଅସ୍ତ୍ର ରହିଥିଲା ।

ଆମେରିକା ସରକାର ପୁଣି ଋଷ ସହ ଅସ୍ତ୍ର ଉପରେ ନିୟନ୍ତ୍ରଣକୁ ନେଇ ଆଲୋଚନା କରିବାକୁ ଚାହୁଁଛନ୍ତି । ସେଥିପାଇଁ ଆମେରିକା ବୈଦେଶିକ ବିଭାଗ ଏହି ରିପୋର୍ଟକୁ ଏବେ ସାର୍ବଜନୀନ କରିଛି । ଟ୍ରମ୍ପଙ୍କ ସମୟରେ ଏହା ଉପରେ ରୋକ ଲଗାଯାଇଥିଲା ।