ଚାଷୀ ଆନ୍ଦୋଳନକୁ ନେଇ ଆମେରିକାର ପ୍ରତିକ୍ରିୟା । ୱାଂଶିଟନ କହିଲା, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଗଣତନ୍ତ୍ରର ଅଂଶ, ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜରୁରୀ ।

399

କନକ ବ୍ୟୁରୋ : ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏନେଇ ପ୍ରତିକ୍ରିୟା ରଖିଛି । ଆମେରିକା କହିଛି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଗଣତନ୍ତ୍ରର ଅଂଶ ଓ ଏନେଇ କଥାବାର୍ତ୍ତା ଜରିଆରେ ଆଲୋଚନା ହେବା ଦରକାର । ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, କୃଷିକୁ ଭଲ କରିବା ଲାଗି ଯେକୌଣସି ପଦକ୍ଷେପକୁ ଆମେରିକା ସ୍ୱାଗତ କରିବ ।

ସେପଟେ ସୋସିଆଲ ମିଡିଆରେ ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ ୱାର ଜାରି ରହିଛି । ଚାଷୀଙ୍କୁ ନେଇ ଅନ୍ତର୍ଜାତୀୟ ସେଲିବ୍ରିଟି ରିହାନା ଟ୍ୱିଟ କରିବା ପରେ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ସେଲିବ୍ରିଟି, କ୍ରିକେଟର ଚାଷୀ ଆନ୍ଦୋଳନ ନେଇ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ହ୍ୟାସଟ୍ୟାଗ ଇଣ୍ଡିଆ ଟୁଗେଦର ସହିତ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିଜ ଟ୍ୱିଟରେ ସେ କହିଛନ୍ତି, ଭାରତ ଏକ ମହାନ ଦେଶ ଓ ଆମେ ଭାରତୀୟ ଏହାକୁ ନେଇ ଗୌରବାନ୍ୱିତ ମନେ କରୁଛୁ । ମୋର ପୁରା ଭରସା ଅଛି ଜଣେ ଭାରତୀୟ ଭାବରେ ଏହାର ସୌହାର୍ଯ୍ୟପୂର୍ଣ୍ଣ ସମାଧାନ ହୋଇପାରିବ ।

ସେହିଭଳି ଫିଲ୍ମଷ୍ଟାର ଅକ୍ଷୟକୁମାର ଓ ଅଜୟ ଦେବଗନ ବି ଟ୍ୱିଟ କରିଛନ୍ତି । ସେ ସରକାରଙ୍କ ପକ୍ଷ ନେଇ ସମସ୍ୟାର ସମାଧାନ କରିବାକୁ ମତ ଦେଇଛନ୍ତି । ଅକ୍ଷୟ ଲେଖିଛନ୍ତି, କୃଷକ ଦେଶର ଅଭିନ୍ନ ଅଙ୍ଗ, ସେମାନଙ୍କ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଦରକାର । ଅଜୟ ଦେବଗନ କହିଛନ୍ତି, ଭାରତ ଓ ଏହାର ନୀତି ବିରୁଦ୍ଧରେ ଚାଲିଥିବା ମିଥ୍ୟା ଅପପ୍ରଚାରରୁ ଲୋକେ ଦୂରେଇ ରୁହନ୍ତୁ । ବର୍ତମାନ ନିଜ ଭିତରେ କଳି ନ କରି ସମସ୍ତେ ଏକଜୁଟ ରହିବାର ଆବଶ୍ୟକତା ରହିଛି ।