ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ରାଷ୍ଟ୍ରପତି ଟ୍ରମ୍ପ । ହ୍ୱାଇଟ ହାଉସ ସମ୍ମୁଖରେ ଜୋରଦାର ପ୍ରତିବାଦ, ଜାଣନ୍ତୁ ପୂରା ଘଟଣା କଣ?

741

କନକ ବ୍ୟୁରୋ : ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ହତ୍ୟା ପରେ ଅନିୟନ୍ତ୍ରିତ ହୋଇପଡିଛି ପରିସ୍ଥିତି । ବିକ୍ଷୋଭକାରୀ ମାନେ ହ୍ୱାଇଟ ହାଉସ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିବା ପରେ ସୁରକ୍ଷା ଦୃଷ୍ଟିକୋଣରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସ ପରିସରରେ ଥିବା ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ରଖାଯାଇଥିଲା । ସବୁଆଡେ ପ୍ରଦର୍ଶନ ହେବା ପରେ ଆମେରିକାରେ ୪୦ଟି ସହରରେ କର୍ଫ୍ୟୁ ଲଗାଯାଇଥିଲା ।

ଆମେରିକାରେ କୃଷ୍ଣକାୟ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ ମାମଲା ହ୍ୱାଇଟ ହାଉସକୁ ପହଂଚିଛି । ଜର୍ଜ ଫ୍ଲଏଡ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ପ୍ରତିବାଦରେ ହ୍ୱାଇଟ ହାଉସ ସମ୍ମୁଖରେ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀ ମାନେ ଏକାଠି ହେବା ପରେ ସୁରକ୍ଷା ଦୃଷ୍ଟିକୋଣରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସ ପରିସରରେ ଥିବା ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ରଖାଯାଇଥିଲା । ରାଷ୍ଟ୍ରପତି ଟ୍ରମ୍ପ ଏହି ବଙ୍କରରେ ପ୍ରାୟ ୧ଘଂଟା ବିତାଇବା ପରେ ପରିସ୍ଥିତି ସାମାନ୍ୟ ହେବା ପରେ ତାଙ୍କୁ ସେଠାରୁ ବାହାର କରାଯାଇଥିଲା । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ଓ ପୁଅକୁ ମଧ୍ୟ ବଙ୍କର ଭିତରକୁ ନିଆଯାଇଥିଲା ।

ଆମେରିକାରେ କୃଷ୍ଣକାୟ ବ୍ୟକ୍ତିଙ୍କ ହତ୍ୟା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି । ୱାସିଂଟନ ସମେତ ୪୦ଟି ସହରରେ କର୍ଫ୍ୟୁ ଲଗାଯାଇଛି । ପ୍ରଦର୍ଶନକାରୀଙ୍କ ମଧ୍ୟରୁ ୪ହଜାରରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ପ୍ରଦର୍ଶନକାରୀ ମାନେ ହ୍ୱାଇଟ ହାଉସ ପର୍ଯ୍ୟନତ ପହଂଚିବା ସମସ୍ତଙ୍କୁ ଚକିତ କରିଛି । ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆମେରିକା ସିକ୍ରେଟ ସର୍ଭିସକୁ ମୁତୟନ କରାଯାଇଛି ।

ମେ’୨୫ତାରିଖରେ ଆମେରିକାର ମିନେପୋଲିସ ସହରରେ ପୋଲିସ ହେପାଜତରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଜାଲଆତି ମାମଲାରେ ପୋଲିସ ୪୬ବର୍ଷୀୟ ଜର୍ଜ ଫ୍ଲଏଡଙ୍କୁ ଗିରଫ କରିବା କରିଥିଲା । ଏବଂ ଏହା ପରେ ପରେ ରାସ୍ତା ଉପରେ ଫ୍ଲଏଡଙ୍କ ବେକକୁ ମାଡି ବସିଥିଲେ ଜଣେ ପୋଲିସ ଅଧିକାରୀ । ଫ୍ଲଏଡ ଯେତେ ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ମୁକ୍ତ କରିନଥିଲେ ପୋଲିସ ଅଧିକାରୀ ଜଣକ । ଏବଂ ଏହାର ପ୍ରାୟ ୮ମିନିଟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ନେବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣାର କିଛି ସମୟ ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଏପରି ଘଟଣାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକୁ ଗିରଫ କରାଯିବା ସହ ଥାର୍ଡ ଡିଗ୍ରୀ ହତ୍ୟା ମାମଲା ରୁଜୁ ହୋଇଛି । ଏବଂ ତାଙ୍କ ସହ ଉପସ୍ଥିତ ଥିବା ଅନ୍ୟ ୩ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।