କନକ ବ୍ୟୁରୋ : ରୁଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦ ଧିରେ ଧିରେ ଜଟିଳ ହେବାରେ ଲାଗିଛି । ‘ମସ୍କୋ ଟାଇମ୍ସ’ ରିପୋର୍ଟ ଅନୁସାରେ ୟୁକ୍ରେନ୍ ସରକାର ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । ଏଥିସହ ରୁଷିଆରେ ଥିବା ସମସ୍ତ ୟୁକ୍ରେନ ନାଗରିକଙ୍କୁ ଦେଶକୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ପରେ ରୁଷିଆର ଆକ୍ରମଣ ଯୋଜନା ଆହୁରି ସ୍ପଷ୍ଟ ହେବାରେ ଲାଗିଛି । ୟୁକ୍ରେନ୍ ଠାରୁ ଅଲଗା ହୋଇଥିବା ଦୁଇଟି ଅଞ୍ଚଳକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପଠାଇବା ନିଷ୍ପତ୍ତି ପରେ ୟୁକ୍ରେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଦୁଇଟି ଅଞ୍ଚଳରେ ବର୍ତ୍ତମାନ ୟୁକ୍ରେନ ସେନା ଓ ରୁଷିଆ ସମର୍ଥିତ ବିଦ୍ରୋହୀ ସେନା ମଧ୍ୟରେ ଯୁଦ୍ଧ ଚାଲିଛି ।

Advertisment

୩୦ ଦିନ ପାଇଁ ୟୁକ୍ରେନ୍ ସରକାର ସାରା ଦେଶରେ ଏମରଜେନ୍ସି ଲାଗୁ କରିଛନ୍ତି । ୟୁକ୍ରେନର ଆଦେଶ ପରେ ପ୍ରାୟ ୨୫ ଲକ୍ଷ ୟୁକ୍ରେନ୍ ନାଗରିକ ରୁଷିଆରୁ ଫେରୁଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ରୁଷିଆର ୟୁକ୍ରେନ ଆକ୍ରମଣ ଆରମ୍ଭ ହୋଇଯାଇଛି । ଏଥିସହ ଆର୍ଥିକ କଟକଣା ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ସହ ଜର୍ମାନୀ, ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ମଧ୍ୟ ରୁଷିଆ ଉପରେ କଟକଣା ଜାରି କରିଛନ୍ତି ।

ଆମେରିକା କହିଲା ଆକ୍ରମଣ ଆରମ୍ଭ କରିସାରିଛି ରୁଷିଆ । ମସ୍କୋ ବିରୋଧରେ କଡ଼ା କଟକଣା କଲେ ବାଇଡେନ୍ । ପୂର୍ବ ୟୁକ୍ରେନର ‘ଡୋନେସ୍କ’ ଓ ‘ଲୁହାନସ୍କ’କୁ ସ୍ୱାଧୀନ ଘୋଷଣା କରିବା ସହ ସେଠାକୁ ସେନା ପଠାଇବାକୁ ପୁଟିନ୍ ନିର୍ଦ୍ଦେଶ ଦେବା ପରେ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍ କହିଛନ୍ତି, ରୁଷିଆ ଆରମ୍ଭ କରିସାରିଛି ଆକ୍ରମଣ । ଏହାର ଜବାବରେ ରୁଷିଆ ବିରୋଧରେ କଡ଼ା ଆର୍ଥିକ କଟକଣା ଲଗାଇଛି ଆମେରିକା ।

ଆଭିମୁଖ୍ୟ କଡ଼ା କଲା ଆମେରିକା । ରୁଷିଆର ବଡ଼ ବଡ଼ ବ୍ୟାଙ୍କ ଉପରେ ଲାଗିଲା ଆର୍ଥିକ କଟକଣା । ଋଣ, ନିବେଶ, ଆର୍ଥିକ କାରବାର ଉପରେ ପ୍ରତିବନ୍ଧକ । ବିଟ୍ରେନ୍, ଜର୍ମାନୀ, ଫ୍ରାନ୍ସ ସମେତ ୟୁରୋପୀୟ ରାଷ୍ଟ୍ର ମଧ୍ୟ କଟକଣା ଲଗାଇଲେ । ସେହିପରି ପଶ୍ଚିମ ଦେଶ ସହ ବ୍ୟବସାୟ କରିପାରିବନି ରୁଷିଆ । ପଶ୍ଚିମ ଦେଶରୁ ମିଳୁଥିବା ସହାୟତା ଉପରେ ମଧ୍ୟ ଲାଗିଲା ରୋକ୍ । ବ୍ୟାଙ୍କ କାରବାର ଉପରେ ପ୍ରତିବନ୍ଧ ଳଗାଇଲା ୟୁରୋପୀୟ ସଂଘ ।

ଚରମସୀମାରେ ପହଞ୍ଚିଲା ୟୁକ୍ରେନ୍-ରୁଷିଆ ସଙ୍କଟ । କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ହୋଇପାରେ ଆକ୍ରମଣ ! ଆମେରିକା କମ୍ପାନୀ ମାସ୍କର୍ ସାଟେଲାଇଟରେ କଏଦ ହୋଇଥିବା କିଛି ଇମେଜ୍ ଜାରି କରିଛି । ଆଉ ଏହି ସବୁ ଇମେଜରୁ ସ୍ପଷ୍ଟ ହୋଇଛି କିଭଳି ୟୁକ୍ରେନକୁ ଘେରି ରହିଛି ରୁଷ ସେନା । ପୂର୍ବ ୟୁକ୍ରେନ୍ ସୀମାଠାରୁ ଆରମ୍ଭ କରି ବେଲାରୁସ୍ ପର୍ଯ୍ୟନ୍ତ ରୁଷିଆର ପ୍ରାୟ ୨ ଲକ୍ଷ ସେନା ବିପୁଳ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ ପାଇଁ ସଜାଗ ରହିଛି ।

ଅସ୍ତ୍ରଶସ୍ତ୍ର ସହ ରୁଷିଆ ସେନା ପ୍ରସ୍ତୁତ । ରାଷ୍ଟ୍ରପତି ପୁଟିନଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ଫେବ୍ରୁଆରୀ ୪ ତାରିଖରେ ଉତୋଳନ ହୋଇଥିବା ସାଟେଲାଇଟ୍ ଚିତ୍ର ଅନୁସାରେ, ସେତେବେଳେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଖାଲି ଥିଲା । କିନ୍ତୁ ଏବେ ସ୍ଥିତି ପୂରା ବଦଳି ଯାଇଛି । ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବା ପରେ ଚିତ୍ର ବଦଳିଯାଇଛି । ସୀମା ଓ ରୁଷକୁ ସମର୍ଥନ ଜଣାଇଥିବା ଇଲାକାରେ ବିପୁଳ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଯାନବାହାନ ସହ ରୁଷ ସେନା ପ୍ରସ୍ତୁତ ହୋଇରହିଛି । ଫେବ୍ରୁଆରୀ ୨୧ ଓ ୨୨ ତାରିଖର ଚିତ୍ର ଦର୍ଶାଉଛି କିଭଳି ପୂର୍ଣ୍ଣ ପ୍ରସ୍ତୁତିରେ ରହିଛି ମସ୍କୋ । ରୁଷିଆର ୧୦୦ରୁ ଅଧିକ ସାମରିକ ଟ୍ରକ ଓ ସୈନ୍ୟଦଳ ୟୁକ୍ରେନ ମୁହାଁ ହେଉଛି । ବିଶେଷ କରି ବେଲାରୁସର ଦକ୍ଷିଣ ପ୍ରାନ୍ତରରେ ରୁଷ ନିଜର ଦବଦବା ଜାହିର କରିଛି । ୟୁକ୍ରେନ ପୂର୍ବ ସୀମାନ୍ତରୁ ୪୦ କିଲୋମିଟର ଦୂରରେ ଟ୍ୟାଙ୍କ, ତୋପ ପରିବହନ ପାଇଁ ବଡ଼ ବଡ଼ ମିଲିଟାରୀ ଟ୍ରକ ଅପେକ୍ଷା କରି ରହିଛନ୍ତି ।

ପୁଟିନଙ୍କ ଗୋଟିଏ ଇସାରା ପାଇଲେ ଆରମ୍ଭ ହୋଇଯିବ ସେନା ଅପରେସନ୍ । ଏହାକୁ ନେଇ ଏକ ଭୟଙ୍କର ଯୁଦ୍ଧ ଆଶଙ୍କାରେ ରହିଛି ସାରା ବିଶ୍ୱ । ଆମେରିକା ଓ ୟୁରୋପୀୟ ଦେଶର କଟକଣା ପରେ ରୁଷବାସୀଙ୍କୁ ସମ୍ବୋଧନ କରି ଭିଡିଓ ଜାରି କରିଛନ୍ତି ପୁଟିନ୍ । ପୁଟିନ୍ କହିଛନ୍ତି, ‘ରୁଷିଆ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ହେଲେ ଯଦି ଦେଶ ଓ ଦେଶବାସୀଙ୍କ ସୁରକ୍ଷା ଉପରେ ବିପଦ ଆସେ, ତା’ହାଲେ ପଛକୁ ହଟିବନି ରୁଷ ।’