ବାଇଡେନଙ୍କ ଚୀନ ଚାପୁଡା ସଙ୍କେତ । ଆମେରିକା- ଚୀନ ସମ୍ପର୍କକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ନବ-ନିର୍ବାଚିତ ରାଷ୍ଟ୍ରପତି । କହିଲେ, ବେଜିଂର ସାମ୍ନା କରିବାକୁ ଏକାଠି ହୁଅନ୍ତୁ ସମାନ ଚିନ୍ତାଧାରାର ରାଷ୍ଟ୍ର ।

528

କନକ ବ୍ୟୁରୋ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ଓ ଚୀନର ସମ୍ପର୍କ  କିପରି ରହିବ ସେ ନେଇ ସଙ୍କେତ ଦେଇଛନ୍ତି । ଆଗାମୀ ୪ବର୍ଷରେ ଚୀନ୍ ପ୍ରତି ଆମେରିକାର କଣ ଆଭିମୁଖ୍ୟ ରହିବ ସେ ନେଇ ବୟାନ ଦେଇଛନ୍ତି ବାଇଡେନ । ଆମେରିକାକୁ ବେଜିଂର ସାମ୍ନା କରିବାକୁ ସମାନ ଚିନ୍ତାଧାରା ରଖିଥିବା ରାଷ୍ଟ୍ର ଗୁଡିକ ସହ ଏକାଠି ହେବାକୁ ପଡିବ ବୋଲି କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ।

ଚୀନକୁ ଜବାବ ଦେବାକୁ ଏକ ସ୍ୱତନ୍ତ୍ର ରଣନୀତିର ଆବଶ୍ୟକାତା ରହିଛି । ଏବଂ ଏଥିପାଇଁ ସମାନ ଚିନ୍ତାଧାରର ରାଷ୍ଟ୍ର ଗୁଡିକୁ ଏକତ୍ରିତ କରିବା ପାଇଁ ଆମେରିକା ପ୍ରୟାସ କରୁଛି ।  ମାନବାଧିକାର, ବାଣିଜ୍ୟ, ପ୍ରଯୁକ୍ତି ଓ ଅନ୍ୟ କ୍ଷେତ୍ରରେ ଏହି ଦେଶ ଗୁଡିକୁ ମିଳିତ ଭାବେ କାମ କରିବାକୁ ହେବ । ଚୀନ୍ ତୁଳନାରେ ଅନ୍ୟ ଦେଶ ସହ ଭାଗିଦାରୀ କଲେ ଆମେରିକା ପ୍ରତି ଏହା ଅଧିକ ଲାଭବାନ ସାବ୍ୟସ୍ତ ହେବ ବୋଲି କହିଛନ୍ତି ବାଇଡେନ ।

ଟ୍ରମ୍ପ ଶାସନ ସମୟରେ ଅନେକ ପ୍ରସଙ୍ଗରେ ଆମେରିକା ଓ ଚୀନ୍ ସମ୍ପର୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ସିନଜିଆଙ୍ଗରେ ମାନବାଧିକାର ଉଲ୍ଲଙ୍ଘନ, ହଙ୍ଗକଙ୍ଗକୁ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା, ବାଣିଜ୍ୟିକ କ୍ଷେତ୍ରରେ ବେଜିଂର ଅନିୟମିତତା ଏବଂ ବିଭିନ୍ନ ଦେଶ ସହ ଚୀନ୍ ସେନାର ଗତିରୋଧକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ତେବେ କରୋନା ମହାମାରୀର ସୂଚନା ଲୁଚାଇଥିବା ସମ୍ପର୍କରେ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ଏପରି ସ୍ଥିତିରେ ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ମଧ୍ୟ ଆମେରିକା ଓ ଚୀନ୍ ସମ୍ପର୍କରେ ନିଜର ଆଭିମୁଖ୍ୟ ଏକପ୍ରକାର ସ୍ପଷ୍ଟି କରିଛନ୍ତି ।