ଆମେରିକାର ୩୭ ରାଜ୍ୟରେ ଶହ ଶହ ଲୋକ ଅସୁସ୍ଥ । ବିଶେଷଜ୍ଞଙ୍କ ଚେତାବନୀ, ଖାଆନ୍ତୁ ନାହିଁ ଏମିତି ପିଆଜ

370

କନକ ବ୍ୟୁରୋ : ଆମେରିକାରେ ଭୂତାଣୁ ଜନିତ ସଂକ୍ରମଣ ଏବେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଦେଶର ପାଖାପାଖି ୩୭ ଟି ରାଜ୍ୟର ଶହ ଶହ ଲୋକ ଏହି ସଂକ୍ରମଣରେ ଶିକାର ହୋଇ ଅସୁସ୍ଥ ହୋଇପଡିଛନ୍ତି । ଏନେଇ ଆମେରିକାର ପ୍ରଶାସନ ଏବେ ତତ୍ପର ହୋଇଛି । ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି କରି କୁହାଯାଇଛି କି ନାଲି, ହଳିଦିଆ ଓ ଧଳା ରଙ୍ଗର ପିଆଜ ଖାଇବାରୁ ନିବୃତ୍ତ ରୁହନ୍ତୁ ଓ ଯେଉଁଠି ବି ଏଭଳି ପିଆଜର ଷ୍ଟକ ରହିଛି ତାକୁ ତୁରନ୍ତ ନଷ୍ଟ କରିଦିଅନ୍ତୁ ।

ରୋଗ ନିୟନ୍ତ୍ରଣ ଓ ପ୍ରତିକାର କେନ୍ଦ୍ର (ସିଡିସି) ପକ୍ଷରୁ କୁହାଯାଇଛି କି ଦେଶରେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ଉପରେ ଯାଂଚ ଆରମ୍ଭ ହୋଇଛି । ଦେଶର ଚିହୁଆହୁଆରୁ ଆମଦାନୀ ହୋଇଥିବା ପିଆଜରେ ଏହି ଭୂତାଣୁ ମିଳିଛି । ଏହା ଉପରେ ଅଧିକ ପରୀକ୍ଷା କରାଯାଉଛି ।

ରିପୋର୍ଟ ମୁତାବକ ଏପର୍ଯ୍ୟନ୍ତ ଏଭଳି ପିଆଜ ଖାଇ ଆମେରିକାର ୩୭ ଟି ରାଜ୍ୟରେ ୬୫୨ ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୧୨୯ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ହେଲେ ଏହି ଭୂତାଣୁ ସଂକ୍ରମଣରେ କାହାରି ମୃତ୍ୟୁ ହୋଇନାହିଁ । ସିଡିସି କହିଛନ୍ତି କି ଏହି ଭୂତାଣୁ ଦ୍ୱାରା ଅସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରକାଶିତ ସଂଖ୍ୟା ଠାରୁ ଅଧିକ ବୋଲି ଅନୁମାନ କରାଯାଉଛି । ଏହି ସଂକ୍ରମଣ ମାମଲା ମେ’୩୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହୋଇଛି ।

ସିଡିସି ଆହୁରି କହିଛି ଯେ ସଂକ୍ରମିତ ହୋଇଥିବା ଲୋକମାନେ ଉପର ଲିଖିତ ପିଆଜକୁ କଞ୍ଚା କିମ୍ବା ଅନ୍ୟ କୌଣସି ତରକାରୀ ମାଧ୍ୟମରେ ଖାଇଛନ୍ତି ।  ସିଡିସି ପକ୍ଷରୁ ଚିହୁଆହୁଆରୁ ଆମଦାନୀ ହେଉଥିବା ପିଆଜ ଖାଇବାକୁ ବାରଣ କରାଯାଇଛି । ଲୋକମାନଙ୍କୁ ସତର୍କ କରାଇ ସିଡିସି ଏଭଳି ପିଆଜ ନଖାଇବାକୁ ବାରଣ କରିଛି ।