ହ୍ୱାଇଟ ହାଉସରୁ ୟୁଏନ ସମ୍ମିଳନୀ ପର୍ଯ୍ୟନ୍ତ ଭାରତ ଏମିତି ଜିତିଲା ବାଜି, ତାଲିବାନ ପକ୍ଷ ନେବାରୁ ପାକକୁ କଡା ଜବାବ୍

161

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଯଦି ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯିବ ତେବେ ଏହି ଗସ୍ତ ସଫଳ ହୋଇଥିବା ଜଣାପଡିଛି । ଆମେରିକାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କ ସହ ଭେଟ କରିଥିଲେ । ଏହି ସମୟରେ ହାରିସ ପାକିସ୍ତାନ ଓ ଆତଙ୍କ ବାଦ ଭଳି ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହାପରେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ କ୍ୱାର୍ଡ କମିଟି ବୈଠକରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପାକିସ୍ତାନରେ ଆତଙ୍କବାଦ ଓ ଆଫାଗନିସ୍ତାନର ସଦ୍ୟ ସ୍ଥିତି ଉପରେ ଚିନ୍ତା ବ୍ୟକ୍ତ କରିଥିଲେ । ଶୁକ୍ରବାର ଦିନ ଯେତେବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଫଗାନିସ୍ତାନରେ ତାଲିବାନର ପକ୍ଷ ନେଇ କହୁଥିଲେ ସେତେବେଳେ ୱାସିଂଟନରେ ହ୍ୱାଇଟ୍ ହାଉସ ଠାରୁ ଆରମ୍ଭ କରି ନ୍ୟୁୟର୍କରେ ୟୁଏନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭାରତ ପାକିସ୍ତାନକୁ କଡା ଜବାବ ଦେବା ସହ ପ୍ରଧାନମନ୍ତ୍ରୀ କ୍ୱାଟ କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ ଭେଟିବା ପରେ ଭାରତୀୟ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଥିଲେ କି ଏବେ ଆତଙ୍କବାଦ ପ୍ରସଙ୍ଗ ଓ ଆଫଗାନିସ୍ତାନରେ ପାକିସ୍ତାନର ଭୂମିକା ଉପରେ ଅଧିକ ସାବଧାନର ସହ ନଜର ରଖିବାକୁ ପଡିବ ।

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ତାଲିବାନ ସପକ୍ଷରେ କହିଥିଲେ । ସେ କହିଥିଲେ ଯେ କାର୍ଯ୍ୟନିର୍ବାହୀ ତାଲିବାନ କ୍ୟାବିନେଟ ଆଫଗାନିସ୍ତାନରେ ମାନବିକ ଅଧିକାରକୁ ସମ୍ମାନ ଦେବା ଏବଂ ଏକ ଅନ୍ତର୍ଭୁକ୍ତ ସରକରା ଗଠନ କରିବାକୁ ପ୍ରତିଶୃତି ଦେଇଛି । ଆଫଗାନିସ୍ତାନ ସ୍ଥିତିରେ ଉନ୍ନତି ଆଣିବା ପାଇଁ ତାଲିବାନକୁ ସମର୍ଥନ କରିବାକୁ ସେ ବିଶ୍ୱ ସମୁଦାୟକୁ ନିବେଦନ କରିଥିଲେ ।
ଇମ୍ରାନ ଖାନ ତାଙ୍କ ଭାଷଣ ମାଧ୍ୟମର ପାକିସ୍ତାନକୁ ସୁରକ୍ଷା ଦେବାକୁ ପ୍ରୟାସ କରିଥିଲେ । ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ପାକିସ୍ତାନ ତାଲିବାନ ସରକାରର ଜଣେ ବଡ ସମର୍ଥକ ଥିଲା । ଇମ୍ରାନ କହିଛନ୍ତି ଯେ, “ସେଠାରେ ବିଗିଡି ଯାଇଥିବା ପରିସ୍ଥିତି ପାଇଁ ପାକିସ୍ତାନକୁ ଦାୟୀ କରାଯାଉଛି, କିନ୍ତୁ ଆମେ ଏଥିପାଇଁ ବଡ ମୂଲ୍ୟ ଦେଇଛୁ । ଆମର ୮୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି ଓ ଦେଶ ୧୨୦ ବିଲିୟନ ଡଲାର ହରାଇଛି । ଆମେ ଆମେରିକା ପାଇଁ ଲଢିଥିଲୁ ”

କେବଳ ସେତିକି ନୁହେଁ ଇମ୍ରାନ ଖାନ କହିଥିଲେ କି “୧୯୮୩ ମସିହାରେ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ମୁଜାହିଦ୍ଦିନକୁ ହିରୋ ବୋଲି ବର୍ଣ୍ଣନା କରିଥିଲେ, ଯେତେବେଳେ ଆଫଗାନ ଛାଡି ସୋଭିଏତ ବାହିନୀ ଚାଲିଗଲେ, ଆମେରିକା ଆଫଗାନିସ୍ତାନକୁ ଏକୁଟିଆ ଛାଡିଦେଲା । ଆମେ ଆମେରିକା ଯୁଦ୍ଧରେ ତାଙ୍କୁ ସମର୍ଥନ କରିଥିଲୁ,ହେଲେ ପ୍ରତିବଦଳରେ ଆମକୁ କେବେ ବି ପ୍ରଶଂସା କରାଯାଇ ନାହିଁ । ହେଲେ ଶେଷ ପରିସ୍ଥିତି ପାଇଁ ଓଲଟା ଆମକୁ ଦାୟୀ କରାଗଲା । ଆମେରିକା ଅଧିକାରୀମାନେ ପ୍ରାୟତଃ ପାକିସ୍ତାନର ଆଇଏସଆଇକୁ ତାଲିବାନକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି । ”

ଇମ୍ରାନ ଖାନ ତାଙ୍କ ଭାଷଣରେ ଭାରତୀୟ ମୁସଲମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ସେ କହିଥିଲେ କି ସମଗ୍ର ବିଶ୍ୱ ଭାରତର ବିଲିୟନ ଡଲାର ବଜାର ଆଡକୁ ଗତି କରୁଚି । କିନ୍ତୁ ସେଠାରେ ଆରଏସଏସ ଓ ବିଜେପି ମୁସଲମାନମାନଙ୍କୁ ଟାର୍ଗେଟ କରୁଛି । ଦେଶରେ ଥିବା ୨୦୦ ନିୟୁତ ମୁସଲମାନଙ୍କ ପ୍ରତି ବିଜେପି ସରକାର ଭେଦଭାବ କରୁଛି । ଇମ୍ରାନଙ୍କ ଏଭଳି ଭାଷଣ ପରେ ଜାତିସଂଘରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ତାଙ୍କୁ ଉଚିତ ଜବାବ୍ ଦେଇଥିଳେ । ଓସମାବିନ ଲାଡେନ ଭଳି ଆତଙ୍କବାଦୀକୁ ପ୍ରୋତ୍ସାହିତ କରିଥିବା ଓ ସାରା ବିଶ୍ୱରେ ଆତଙ୍କବାଦ ବିସ୍ତାର ପାଇଁ ସେ ସିଧା ସଳଖ ପାକିସ୍ତାନକୁ ଦାୟୀ କରିଥିଲେ ।

କେବଳ ସେତିକି ନୁହେଁ ଇମ୍ରାନ ଖାନକୁ ଭେଟ କରିବା ତ ଦୂରର କଥା ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଏପର୍ଯ୍ୟନ୍ତ ତାଙ୍କ ସହ ଫୋନରେ ବି କଥା ହୋଇ ନାହାନ୍ତି । ହେଲେ ଆମେରିକାର ବିଦେଶମନ୍ତ୍ରୀ ଏଣ୍ଟୋନୀ ବ୍ଳିକଂନ ପାକିସ୍ତାନର ସମକକ୍ଷ ବିଦେଶମନ୍ତ୍ରୀ ଶାହ ମହମୁଦ କୁରେସୀଙ୍କୁ ଭେଟି ଆମେରିକାର ନାଗରିକଙ୍କୁ ଆଫଗାନରୁ ସୁରକ୍ଷିତ ଭାବେ ବାହାର କରିବା ନେଇ ଧନ୍ୟବାଦ ଦେଇଥିଲେ ।