ଆମେରିକାରୁ ଭାରତକୁ ଆସିଲା ସହାୟତା । କରୋନା ମୁକାବିଲା ପାଇଁ ଭାରତକୁ କୋଭିଡ୍ ସଂରଜାମ ପଠାଇଲା ଆମେରିକା ।

208

କନକ ବ୍ୟୁରୋ: ଆମେରିକାରୁ ଭାରତକୁ ଆସିଲା ସହାୟତା । ବିଳମ୍ବରେ ହେଲେ ମଧ୍ୟ ମହାମାରୀ କରୋନାର ମୁକାବିଲା କରୁଥିବା ଭାରତକୁ ଘନିଷ୍ଠ ସହଯୋଗୀ ଆମେରିକା ପଠାଇଛି ସହାୟତା । କୋଭିଡ ସଂରଜାମ ଧରି ଦିଲ୍ଲୀ ବିମାନବନ୍ଦରରେ ପହିଚିଛି ଆମେରିକା ବିମାନ ଗ୍ଲୋବ ମାଷ୍ଟର ସି-୧୭ । ଏଥିରେ ୨୦୦ଟି ‘ଡି’ ସାଇଜ ଅକ୍ସିଜେନ ସିଲିଣ୍ଡର ଓ ୨୨୩ଟି ‘ଏଚ୍’ ସାଇଜ ଅକ୍ସିଜେନ ସିଲିଣ୍ଡର ଆସିଛି । ୨୧୦ଟି ଅକ୍ସିମିଟ, ୧ଲକ୍ଷ ୪୮ ହଜାର ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ କିଟ୍ ଓ ୮୪ ହଜାର ଏନ୍- ୯୫ ମାସ୍କ ଆସିଥିବା ଜଣାପଡିଛି । ପୂର୍ବରୁ ଆମେରିକା ଏକାଧିକ ଅକ୍ସିଜେନ୍ କନସେନଟ୍ରେଟର ଅର୍ଥାତ ବାୟୁମଣ୍ଡଳରୁ ଅକ୍ସିଜେନ ପ୍ରସ୍ତୁତ କରିପାରୁଥିବା ଉପକରଣ ଭାରତକୁ ପଠାଇଥିଲା । ଗତକାଲିଠାରୁ ଆମେରିକାରୁ ବିମାନ ଯୋଗେ ମେଡିକାଲ ଉପକରଣ ସବୁ ପହଂଚିବା ଆରମ୍ଭ କରିଛି ।

କରୋନା ମହାମାରୀର ସଂକଟ କାଳରେ ଭାରତ ସହ ଆମେରିକା ରହିଥିବା କହିଛି ହ୍ୱାଇଟହାଉସ । ତେବେ ପୂର୍ବରୁ ବାଇଡେନ ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଉଠିଥିଲା । ଅନେକ ଭାରତୀୟ-ଆମେରିକୀୟ ଭାରତକୁ ସହାୟତା ପାଇଁ ଚାପ ପକାଇଥିଲେ । ଏପରିକି କରୋନା ଟିକା ଉତ୍ପାଦନରେ ବ୍ୟବହାର ହେଉଥିବା କଂଚାମାଲ ଯୋଗାଣକୁ ଅଟକାଇ ଦେଇଥିଲା ଆମେରିକା । ହେଲେ ଏବେ ଜଣେ ବନ୍ଧୁ ରାଷ୍ଟ୍ର ଭାବରେ ଭାରତକୁ ସମସ୍ତ ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।