ଆହୁରି ଶକ୍ତିଶାଳୀ ହେବା ଲକ୍ଷ୍ୟରେ ଆମେରିକା । ସମୁଦ୍ର ଭିତରେ କଲା ଭୟଙ୍କର ବିସ୍ଫୋରଣ । ସମୁଦ୍ରରେ ଆସିଲା ବଡ଼ ଭୂକମ୍ପ ।
କନକ ବ୍ୟୁରୋ : ଆମେରିକାର ଭୟଙ୍କର ବିସ୍ଫୋରଣ । ସମୁଦ୍ରରେ ଆସିଲା ବଡ଼ ଭୂକମ୍ପ । ଚୀନ୍, ଋଷିଆ ଏବଂ ଇରାନ୍ ଭଳି ଦେଶ ସହ ଆମେରିକାର ସମ୍ପର୍କ କେମିତି, ତାହା ସାରା ବିଶ୍ୱ ଜାଣିଛି । ଆଉ ଏପରିସ୍ଥିତିରେ ପ୍ରତିରକ୍ଷା କ୍ଷେତ୍ରରେ ନିଜକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ ଜାରି ରଖିଛି ଆମେରିକା । ନିକଟରେ ଏହାର ଏକ ଝଲକ ଦେଖିବାକୁ ମିଳିଛି । ଆମେରିକା ନୌସେନା ନିଜର ନୂଆ ଏୟାରକ୍ରାଫ୍ଟ କ୍ୟାରିୟରର ଟେଷ୍ଟିଂ ପାଇଁ ଏକ ବିସ୍ଫୋରଣ କରିଥିଲା । ଆଉ ଯେଉଁଥିପାଇଁ ସମୁଦ୍ରରେ ଭୂକମ୍ପ ଭଳି ସ୍ଥିତି ସୃଷ୍ଟି ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ନୌସେନା ଯୁଦ୍ଧ ପାଇଁ ନିଜକୁ ଅଧିକ ପ୍ରସ୍ତୁତ କରୁଛି । ଆଉ ନିଜ କ୍ଷମତାର ପରୀକ୍ଷଣ କରିବା ପାଇଁ ନିଜର ଏକ ବିମାନବାହକ ପୋତ ପାଖରେ ୪୦ ହଜାର ପାଉଣ୍ଡର ଏକ ବିସ୍ଫୋରକ ଖଞ୍ଜିଥିଲା । ଆମେରିକା ନୌସେନା ଦେଖିବାକୁ ଚାହୁଁଥିଲା, ଯୁଦ୍ଧ ସମୟରେ ତାଙ୍କର ଯୁଦ୍ଧପୋତ ଗୁଡିକ ଭୟଙ୍କର ବିସ୍ଫୋରଣର ସାମ୍ନା କରିପାରୁଛି କି ନାହିଁ ।
ଆମେରିକା ନୌସେନା ନିଜର ଏହି ବିମାନବାହକ ପାଖରେ ୪୦ ହଜାର ପାଉଣ୍ଡ ଅର୍ଥାତ ୧୮ହଜାର ୧୪୪ କିଲୋର ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣ ସହ ସମୁଦ୍ର ଭିତରେ ଏକ ବଡ ଅଂଶରେ ଜୋରଦାର ହଲଚଲ ଦେଖିବାକୁ ମିଳିଥିଲା । ଆଉ ଏହି ବିସ୍ଫୋରଣ କାରଣରୁ ସମୁଦ୍ରରୁ ପାଣି ବହୁତ ଉପରକୁ ଉଠିଥିଲା ।
ଆମେରିକା ନୌସେନା ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସମୁଦ୍ର ଭିତରେ ଏକ ଭୂକମ୍ପ ସୃଷ୍ଟି ହୋଇଥିଲା । ଆଉ ଏହି ଭୂକମ୍ପର ତୀବ୍ରତା ରହିଥିଲା ୩.୯ । ତେବେ ଏହି ଘଟଣା ନେଇ ସ୍ପଷ୍ଟ କରିଛି ଆମେରିକା ନୌସେନା । କୁହାଯାଇଛି, ଆମେରିକା ଯୁଦ୍ଧ ଜାହାଜ ଭୟଙ୍କର ସ୍ଥିତିର ସାମ୍ନା କରିପାରୁଛି କି ନାହିଁ, ତାର ଟେଷ୍ଟିଂ ପାଇଁ ଏଭଳି ବିସ୍ଫୋରଣ କରାଯାଏ । ଏହି ସମୟରେ ଯେଉଁ ସମସ୍ୟା ଦେଖାଯାଏ, ପରବର୍ତୀ ସମୟରେ ସେଥିରେ ସୁଧାର ଅଣାଯାଏ, ଯାହା ସେନାବାହିନୀ ପାଇଁ ଅନେକ ଉପଯୋଗୀ ହୁଏ ।
ଫ୍ଲୋରିଡା ଉପକୂଳଠାରୁ ପ୍ରାୟ ୧୦୦ ମାଇଲ୍ ଦୂରରେ ଆଟଲାଂଟିକ୍ ମହାସାଗରରେ ୟୁଏସଏସ ଜେରାଲ୍ଡ ଆର ଫୋର୍ଡ ନାମକ ଏକ ଉନ୍ନତ ବିମାନବାହକରେ ଏହି ଭୟଙ୍କର ବିସ୍ଫୋରଣ କରାଯାଇଥିଲା । ତେବେ ସାମୁଦ୍ରିକ ପର୍ଯ୍ୟାବରଣ ଏବଂ ସାମୁଦ୍ରିକ ଜୀବଙ୍କ ସୁରକ୍ଷାକୁ ନଜରରେ ରଖି ସୁରକ୍ଷିତ ଭାବେ ଏହି ବିସ୍ଫୋରଣ କରାଯାଇଥିବା ଆମେରିକା ନୌସେନା ସୂଚନା ଦେଇଛି ।