୨୦ ବର୍ଷର ଯୁଦ୍ଧ ସାରି ଆଫଗାନ ମାଟି ଛାଡିଲା ଆମେରିକା । ଯୁଦ୍ଧ ବିମାନକୁ ଅକାମି କରି ବୁଦ୍ଧି ଶିଖାଇଲା ବାଇଡେନ୍ ସେନା, ସେପଟେ ଆମେରିକା ଯିବା ପରେ ଖୁସି ମନାଇଲା ତାଲିବାନ ।

508

କନକ ବ୍ୟୁରୋ : ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ଛାଡିଲା ଆମେରିକା । ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡାଣ ଭରିଲା ଆମେରିକାର ଶେଷ ବିମାନ । ୨୦ ବର୍ଷ ପରେ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିଛି ଆମେରିକା । ଶେଷ ସୈନ୍ୟ ଭାବେ ମେଜର ଜେନେରାଲ ଖ୍ରୀସ୍ ଜୋନାହ୍ୱେ ବିମାନରେ ବସିଥିଲେ । ସୈନ୍ୟ ପ୍ରତ୍ୟାହାର ପରେ କାବୁଲ ଏୟାରପୋର୍ଟରେ ତାଲିବାନୀମାନେ ଗୁଳି ଫୁଟାଇ ଉତ୍ସବ ମନାଇଥିଲେ । ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇଥିବାରୁ ଆମେରିକା ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନ ଛାଡିବା ପୂର୍ବରୁ ୭୩ଟି ଯୁଦ୍ଧ ବିମାନ ଓ ୧୫୦ଟି ଯୁଦ୍ଧଯାନକୁ ସବୁଦିନ ପାଇଁ ଅକାମୀ କରିଦେଇଛି ଆମେରିକା ସେନା ।

ଆଫଗାନିସ୍ତାନ ଛାଡିଲା ଆମେରିକା ସେନା । ଦେଶକୁ ସ୍ୱାଧିନ ଘୋଷଣା କଲେ ତାଲିବାନ । ୨୦ବର୍ଷ ତଳେ ଆଫଗାନିସ୍ତାନ ଯେଉଁଠୁ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା ଏବେ ପୁଣି ସେହି ସ୍ଥାନକୁ ଫେରିଆସିଛି । ଆମେରିକା ସୈନ୍ୟ ସୋମବାର ରାତିରେ ଆଫଗାନିସ୍ତାନ ଛାଡିଛି । ଅନ୍ଧାର ରାତିରେ ଗର୍ଜିଥିଲା ବନ୍ଧୁକ, ପରସ୍ପରକୁ ସ୍ୱାଧିନତାର ଶୁଭେଚ୍ଛା ଜଣାଉଛନ୍ତି ତାଲିବାନ । କାବୁଲ ଆକାଶରେ ପ୍ରତିଧ୍ୱନିତ ହେଉଛି ଗୁଳି ମାଡର ଶବ୍ଦ, ଚକ ଚକ କରୁଛି ଅଗ୍ନିର ସ୍ପୁଲିଙ୍ଗ । ତାଲିବାନ ମୁଖପାତ୍ର ସୁହେଲ ସାହିନ ଟୁଇଟ୍ କରି ଆଫଗାନିସ୍ତାନ ସ୍ୱାଧିନ ହେଲା ବୋଲି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆମେରିକା ସେନା କାବୁଲ ଏୟାରପୋର୍ଟ ଛାଡିବା ପରେ ନିଜ ନିୟନ୍ତ୍ରଣକୁ ନେଇଛି ତାଲିବାନ । ତାଲିବାନ ନେତା ବିମାନ ବନ୍ଦର ରନ ୱେରେ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏଣିକି ତାଲିବାନଙ୍କ ଅନୁଯାୟୀ କାବୁଲ ବିମାନ ବନ୍ଦରରୁ ଉଡାଣ ଭରିବ ବିମାନ ।

ଦୀର୍ଘ ୨୦ ବର୍ଷ ଆଫଗାନିସ୍ତାନରେ ରହି ତାଲିବାନ ବିରୋଧରେ ଲଢିବା ପରେ ସେହି ତାଲିବାନ ହାତରେ ଆଫଗାନିସ୍ତାନକୁ ଛାଡି ଦେଇଛି ଆମେରିକା । ନିର୍ଦ୍ଧାରିତ ସମୟର ଦିନକ ଆଗରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରି ନେଇଛି ହ୍ୱାଇଟ ହାଉସ । ଆମେରିକାର ସି-୧୭ ବିମାନ ସୋମବାର ରାତି ପାଖାପାଖି ୩ଟା ୨୯ରେ ଶେଷ ବିମାନ ଭାବେ କାବୁଲରୁ ଉଡାଣ ଭରିଥିଲା । ଆମେରିକା ପ୍ରତିରକ୍ଷା ସଚିବ କହିଛନ୍ତି, ୬ ହଜାର ଆମେରିକା ସୈନ୍ୟଙ୍କ ସହ ୧ଲକ୍ଷ ୨୩ ହଜାର ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରାଯାଇଛି । ଏବେ ବି ୨ଶହ ପାଖାପାଖି ଆମେରିକୀୟ ଆଫଗାନିସ୍ତାନରେ ରହି ଯାଇଛନ୍ତି ।

ଦୀର୍ଘ ୨୦ ବର୍ଷର ଯୁଦ୍ଧରେ ୨୪୬୧ ଆମେରିକା ସୈନ୍ୟ ନିହତ । ଆଫଗାନିସ୍ତାନରେ ୨ ଟ୍ରିଲିୟନ ଡଲାଲରୁ ଅଧିକ ଖର୍ଚ୍ଚ, ହେଲେ ତାଲିବାନ ବିରୋଧୀ ଲଢେଇର ଅଧାରୁ ଓହରିଗଲା ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଆଫଗାନିସ୍ତାନରେ ୨୦ ବର୍ଷ ଧରି ଆମେରିକାର ସୈନ୍ୟ ଅଭିଯାନ ଶେଷ ହୋଇଥିବା ଲେଖିଛନ୍ତି ।

ଆମେରିକା ସୈନ୍ୟ କାବୁଲ ଛାଡିବା ପରେ ଏକ ଅନିଶ୍ଚିତତା ଭବିଷ୍ୟତ ଭିତରକୁ ଠେଲି ହୋଇଯାଇଛି, ଆଫଗାନିସ୍ତାନର ଭବିଷ୍ୟତ । ତାଲିବାନ ଶାସନ ଗାଦିରେ ବସିଲେ, ନାଗରିକଙ୍କ ଅବସ୍ଥା ଓ ଦେଶର ସ୍ଥିତି କଣ ହେବ ତାହା ଏବେ ବି ଅନ୍ଧାରରେ ରହିଛି ।

ଆଫଗାନ ଛାଡିବା ପୂର୍ବରୁ ବିମାନକୁ ଅଚଳ କରିଦେଲା ଆମେରିକା । ୭୩ ବିମାନ ଓ ୧୫୦ଟି ଯୁଦ୍ଧଯାନକୁ ବ୍ୟବହାର କରିପାରିବନି ତାଲିବାନ । ଆଫଗାନ ମାଟିରେ ଆମେରିକା ସୈନ୍ୟ ୭୩ଟି ବିମାନ ଓ ୧୫୦ ଯୁଦ୍ଧଯାନ ଛାଡି ଦେଇଛନ୍ତି । ହେଲେ ଏହା ତାଲିବାନଙ୍କ କୌଣସି କାମରେ ଆସିବ ନାହିଁ । କାବୁଲ ଛାଡିବା ପୂର୍ବରୁ ଯୁଦ୍ଧଯାନ ଓ ବିମାନକୁ ସବୁଦିନ ପାଇଁ ଅଚଳ କରିଦେଇଛି ଆମେରିକା । ସେହିପରି ଆମେରିକା ସେନାରେ ସେବା ଯୋଗାଉଥିବା ସ୍ନାଇପର ଡଗକୁ କାବୁଲ ଏୟାରପୋର୍ଟରେ ଛାଡି ଦେଇଛନ୍ତି । ଯାହାକୁ ବହୁ ସୋସିଆଲ ମିଡିଆ ୟୁଜର୍ସ ଆମେରିକା ସୈନ୍ୟକୁ ସମାଲୋଚନା କରୁଛନ୍ତି ।