କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ବିପକ୍ଷରେ କେତେ ଫଳପ୍ରଦ ଟିକା? ପଢନ୍ତୁ, କଣ କହିଲା ଫାଇଜର କମ୍ପାନୀ…

230

କନକ ବ୍ୟୁରୋ: କରୋନାର ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ପୂରା ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି । ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଏହା ବେଶ୍ ବିପଦଜନକ ହୋଇଥିବାବେଳେ, ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ଦକ୍ଷିଣ ଆଫ୍ରିକାର କିଛି ଦେଶରେ ଏହା ଲୋକଙ୍କୁ ସଂକ୍ରମିତ ମଧ୍ୟ କଲାଣି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ଦିଆଯାଉଥିବା କୋଭିଡ୍ ଭ୍ୟାକ୍ସିନ ଏହି ନୂଆ ଭାରିଆଣ୍ଟକୁ ରୋକିବାରେ ସମର୍ଥ ହେବ ତ?

ଆମେରିକା ଟିକା ନିର୍ମାତା କମ୍ପାନୀ ଫାଇଜରର କହିବା କଥା, ଏହି ଭାରିଆଣ୍ଟ ବିପକ୍ଷରେ ଟିକା କେତେ ଦୂର ପ୍ରଭାବୀ ତାହା ଠିକ୍ ଭାବେ ଜଣାପଡିନାହିଁ । ତେବେ କମ୍ପାନୀ ଏହା ମଧ୍ୟ କହିଛି ଯେ, ଆସନ୍ତା ଶହେ ଦିନ ଭିତରେ ଏହି ନୂଆ ଭାରିଆଣ୍ଟ ପାଇଁ ସେମାନେ ଟିକା ପ୍ରସ୍ତୁତ କରିଦେବେ ।

ଆମେରିକାର ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ଫାଇଜର ଏକ ବୟାନ ଜାରି କରି କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟ ବିପକ୍ଷରେ ଟିକା କେତେ ଫଳପ୍ରଦ ତାହା ଜଣାପଡିନି । ତେବେ ଯଦି ଏହା ନୂଆ ଭାରିଆଣ୍ଟ ବିପକ୍ଷରେ ଟିକା ଫଳପ୍ରଦ ନହୁଏ ତେବେ ଭ୍ୟାକ୍ସିନରେ ପରିବର୍ତ୍ତନ ଆସିପାରେ । ଅନ୍ୟପଟେ ବର୍ତ୍ତମାନ ଟିକା ଏହି ଭାରିଆଣ୍ଟ ବିପକ୍ଷରେ କେତେ ଫଳପ୍ରଦ ତାହା ଆଗାମୀ ଦୁଇ ସପ୍ତାହ ଭିତରେ ଜଣାପଡିଯିବ । ଏହାକୁ ନେଇ ଏବେ ପରୀକ୍ଷା ଚାଲିଛି ବୋଲି ସୂଚନା ମିଳିଛି ।

ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ, ଓମିକ୍ରନରେ ପୁରୁଣା ଭାରିଆଣ୍ଟ ଅପେକ୍ଷା ଅଧିକ ମ୍ୟୁଟେସନ ଦେଖିବାକୁ ମିଳୁଛି । ଏହା ପୂର୍ବ ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁୁଥିବାବେଳେ, ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ସୂଚନା ଯୋଗ୍ୟ ଯେ, କରୋନାର ଏହି ନୂଆ ଭାରିଆଣ୍ଟ ପୂର୍ବରୁ ବି.୧.୧.୫୨୯ ନାମରେ ପରିଚିତ ଥିଲା । ଏବେ କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାର ନାମକରଣ କରିଛି । ଏହି ନୂଆ ଭୂତାଣୁକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣରେ ରଖାଯାଇଥିବାବେଳେ ଏହାକୁ ଓମିକ୍ରନ ନାମ ଦିଆଯାଇଛି ।