ପୁଟିନଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ରାଗ ସୁଝାଉଛି ଆମେରିକା, ଜାଣନ୍ତୁ କଣ ନେଲା ଆକ୍ସନ

154

କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ଆମେରିକା ଓ ଋଷ ମଧ୍ୟରେ ସଂପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ କଥିତ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ଆଲିନା କାବେବା ଏବେ ଟାର୍ଗେଟ କରିଛି ଆମେରିକା ।

ସୂଚନା ମୁତାବକ ଆମେରିକା ତରଫରୁ ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଆଲିନା କାବେବା ସମେତ ଲଣ୍ଡନର ଦ୍ୱିତୀୟ ଧନୀବ୍ୟକ୍ତିଙ୍କୁ କଳା ତାଲିକାଭୂକ୍ତ କରିଛି । ବାଇଡେନ ପ୍ରଶାସନ ପକ୍ଷରୁ ପୂର୍ବତନ ଅଲିମ୍ପିକ୍ସ ଜିମ୍ନାଷ୍ଟିକ ଅଲିନା କାବେବାଙ୍କ ଭିସାକୁ ଫ୍ରିଜ କରିବା ସହ ତାଙ୍କ ସଂପତ୍ତି ଉପରେ ପ୍ରତିବନ୍ଧକ ଲଗାଇଛି ।

ସେପଟେ ଆମେରିକା ଯେଉଁ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ସେମାନେ ପୁଟିନଙ୍କ ନିକଟତର ବୋଲି କୁହାଯାଉଛି । ଆମେରିକା ପ୍ରଶାସନ ମୁତାବକ ଆଲିନା କାବେବା ଋଷର ଏକ ମିଡିଆ କମ୍ପାନୀର ମାଲିକ । ଏହି ମିଡିଆ କମ୍ପାନୀ ସବୁବେଳେ ଋଷର ୟୁକ୍ରେନ ଉପରେ ଆକ୍ରମଣକୁ ସମର୍ଥନ କରିଆସୁଛି ବୋଲି ଅଭିଯୋଗ ରହିଛି ।

ସେମାନଙ୍କ ବ୍ୟତୀତ ଆମେରିକାର ଅର୍ଥ ବିଭାଗ ତରଫରୁ ଋଷର ଆରବପତି ଏଣ୍ଡ୍ରି ଗ୍ରେଗୋରିବିଚ ଗୁରେବଙ୍କ ଉପରେ ବି ପ୍ରତିବନ୍ଧକ ଲଗାଇଛି । ଜିଏ ବକିଂଧମ ପ୍ୟାଲେସ ପରେ ଲଣ୍ଡନର ସବୁଠାରୁ ଦାମୀ ସଂପତ୍ତି ବିଟନଇଷ୍ଟ ଇଷ୍ଟେଟର ମାଲିକ । କହିରଖୁ କି ଗୁରୟେବ ବିଶ୍ୱ ସାର ବଜାରରେ ସବୁଠାରୁ ଅଧିକ ଉତ୍ପାଦନ କରୁଥିବା କମ୍ପାନୀ ଫାଁସଏଗ୍ରୋର ସଂସ୍ଥାପକ ।

ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ପାଖାପାଖି ୯୦୦ ଋଷ ଅଧିକାରୀଙ୍କ ଭିସା ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହା ବ୍ୟତୀତ ୩୧ ଜଣ ଅଜ୍ଞାତ ଅଣ ଋଷ ଅଧିକାରୀଙ୍କ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି, ଯେଉଁମାନେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସମର୍ଥନ କରୁଛନ୍ତି ।