ଧରାପଡିଲା ଆତଙ୍କବାଦକୁ ନେଇ ଆମେରିକାର ଦୋମୁହାଁ ନୀତି : କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ; ଆମେରକୀୟ ଶିଖ କାର୍ଯ୍ୟକର୍ତ୍ତାଙ୍କୁ ସତର୍କ କରିଥିଲା ଏଫବିଆଇ

149

କନକ ବ୍ୟୁରୋ : ଭାରତ-କାନାଡା ବିବାଦ ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିବାଦର ସୁତ୍ରପାତ କରିଥିଲା ଆମେରିକା । କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ । ଯାହା ଆଧାରରେ ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟା ଭାରତୀୟ ଏଜେଂଟ କରିଥିବା କହିଥିଲେ ଜଷ୍ଟିନ ଟ୍ରୁଡୋ । କାନାଡାରେ ଅବସ୍ଥାପିତ ଆମେରିକାର ଜଣେ ବରିଷ୍ଠ କୂଟନୈତିଜ୍ଞ ଏନେଇ ସୂଚନା ଦେଇଛନ୍ତି । ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ କାନାଡାର ଗୁଇନ୍ଦା ମେଂଟ ‘ଫାଇଭ ଆଇଜ୍’ କିଛି ସୂଚନା ପ୍ରଦାନ କରିଥିଲା ।

ଯାହାର ଆଧାରରେ କାନାଡା ସିଦ୍ଧାନ୍ତରେ ପହଂଚିଥିଲା ଯେ ନିଜାରଙ୍କ ହତ୍ୟା ପଛରେ ଭାରତୀୟ ଏଜେଂଟ ହାତ ଅଛି । ଏପରିକି କାନାଡାରେ ରହୁଥିବା ଆମେରିକୀୟ ଶିଖ କାର୍ଯ୍ୟକର୍ତାଙ୍କୁ ଆମେରିକାର ଗୁଇନ୍ଦା ସଂସ୍ଥା ଏଫବିଆ ସତର୍କ କରାଇଥିଲା । ଗତ ଜୁନ ୧୮ ତାରିଖରେ ନିଜାରଙ୍କ ହତ୍ୟା ହୋଇଥିଲା ବେଳେ ଜୁନ୍ ୧୯ ତାରିଖରେ ଶିଖ କାର୍ଯ୍ୟକର୍ତାଙ୍କୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ବିଷୟରେ ଚେତାବନୀ ଦେଇଥିଲା ଆମେରିକା ।

ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ଖଣ୍ଡନ କରିଆସୁଛି । ନଜିରଙ୍କ ହତ୍ୟା ଭାରତୀୟ ଏଜେଂଟ କରିଥିବା ନେଇ କାନାଡା ପାଖରେ କୌଣସି ପ୍ରମାଣ ନଥିବା କହିଛି ଭାରତ । ଏପରିକି ଅଭିଯୋଗରେ କୌଣସି ସଠିକ୍ ତଥ୍ୟ ନଥିବା ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବିିବାଦ ଭିତରେ ତଦନ୍ତରେ ଭାରତ ସହଯୋଗ କରିବାକୁ ଆମେରିକା କହିଥିଲା । ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ପରେ ଉଭୟ ଦେଶର ସମ୍ପର୍କ ଏବେ ଖରାପ ହୋଇପଡ଼ିଛି ।