କନକ ବ୍ୟୁରୋ : ଆମେରିକାର ସୀମା ଶୁଳ୍କ ଓ ସୀମା ସୁରକ୍ଷା ଡାଟାର ଜଣାପଡିଛି କି, ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମାସ ମଧ୍ୟରେ ଆମେରିକାରେ ବେଆଇନ ଭାବେ ପ୍ରବେଶ କରିଥିବା ଓ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅପରାଧରେ ୯୬,୯୧୭ ଜଣ ଭାରତୀୟ ଧରାପଡିଛନ୍ତି । ଆମେରିକାର ଦକ୍ଷିଣ ସୀମା ସହ ଉତ୍ତର ସୀମାରେ ଦୈବ ଦୁର୍ବିପାକ କାରଣରୁ ପାଖାପାଖି ୯୭ ହଜାର ଭାରତୀୟ ଆମେରିକା ଭିତରକୁ ବେଆଇନ ଭାବେ ପ୍ରବେଶ କରିବାକୁ ଭୟଙ୍କର ରାସ୍ତା ବାଛିଥିଲେ । ୯୬,୯୧୭ ଜଣ ଭାରତୀୟଙ୍କ ମଧ୍ୟରୁ ୩୦,୦୧୦ ଜଣଙ୍କୁ କାନାଡା ସୀମା ରାସ୍ତାରେ ଦେଇ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଆମେରିକା ପୋଲିସ ଗିରଫ କରିଛି । ସେହିଭଳି ମେକସିକୋ ସୀମା ଦେଇ ଆମେରିକାରେ ଅବୈଦ୍ଧ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ୪୧,୭୭୦ ଜଣ ଭାରତୀୟ ଧରାପଡିଛନ୍ତି ।

Advertisment

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ସେମାନେ ଆମେରିକାର ମୁଖ୍ୟ ଭୂମିରେ ପ୍ରବେଶ କରିବା ପରେ ଧରାପଡିଥିଲେ । ୨୦୧୯-୨୦ ରେ ଏଭଳି ଭାବେ ପ୍ରବେଶ କରିବାକୁ ଚେଷ୍ଟା କରି ୧୯,୮୮୩ ଜଣ ଭାରତୀୟ ଧରାପଡିଥିଲେ । ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ ସୀମାରୁ ଧରାପଡିଥିବା ଲୋକମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଏଭଳି ଲୋକ ରହିଛନ୍ତି ଯେଉଁମାନେ କି ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି ।

ପୋଲିସ ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି କି, ଧରାପଡିଥିବା ଲୋକଙ୍କ ମଧ୍ୟରୁ ଗୁଜରାଟ ଓ ପଞ୍ଜାବ ବାସିନ୍ଦା ସର୍ବାଧିକ । ଗିରଫ ଅଭିଯୁକ୍ତମାନଙ୍କୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । କେବଳ ପିଲା, ପରିବାର ସଦସ୍ୟ ସହ ପିଲା, ଏକାକୀ ବୟସ୍କ ମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଛି ।