କରୋନା ସଂକଟ ଭିତରେ ଭାରତକୁ ସହାୟତାର ହାତ । ବିମାନରେ ରୁଷ ଓ ଆମେରିକାରୁ ଆସିଲା ଅକ୍ସିଜେନ, ଔଷଧ ଓ ଚିକିତ୍ସା ଉପକରଣ ।

145

କନକ ବ୍ୟୁରୋ: ଭାରତରେ କରୋନା ସଂକଟକୁ ଦେଖି ବିଦେଶୀ ରାଷ୍ଟ୍ର ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି । ସଂକ୍ରମଣର ସଙ୍କଟ ଭିତରେ ଭାରତକୁ ସହାୟତାର ହାତ ବଢାଇଛି ରୁଷିଆ । ଦୁଇଟି ବିମାନରେ କରୋନା ବିରୋଧୀ ଲଢେଇରେ ସହାୟତା କରିବାକୁ ରୁଷିଆ ପଠାଇଛି ଅକ୍ସିଜେନ, ଭେଂଟିଲେଟର ଓ ଅନ୍ୟ ସ୍ୱାସ୍ଥ୍ୟ ସେବା ଉପକରଣ । ରୁଷରୁ ଆସିଥିବା ଦୁଇଟି ବିମାନ ନୂଆ ଦିଲ୍ଲୀରେ ପହଂଚି ସାରିଛି । ସୂଚନା ଅନୁସାରେ ଦୁଇଟି ବିମାନରେ ରହିଛି ..

  • ଅକ୍ସିଜେନ କନସେନଟ୍ରେଟର – ୨୦
  • ଭେଟିଂଲେଟର – ୭୫
  • ବେଡ ସାଇଡ ମନିଟର – ୧୫୦

କରୋନା ଚିକିତ୍ସା ସଂପର୍କିତ ଔଷଧକୁ ମିଶାଇ ୨୨ ମେଟ୍ରିକ ଟନ୍ ସାମଗ୍ରୀ ପଠାଇଛି ରୁଷିଆ । ଏହି ସାମଗ୍ରୀକୁ ପର୍ଯ୍ୟାୟକ୍ରମେ ଓ ଆବଶ୍ୟକତା ଭିତରେ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟକୁ ପଠାଯିବ । ସେପଟେ କରୋନା ଭୁତାଣୁରୁ ଭାରତକୁ ଉଦ୍ଧାର କରିବା ପାଇଁ ଆମେରିକା ମଧ୍ୟ ବଢାଇଛି ସହାୟତାର ହାତ । ୟୁଏସ ସି-୧୫ ଏୟାରକ୍ରାଫ୍ଟରେ କୋଭିଡ ମୁକାବିଲା ପାଇଁ ଚିକିତ୍ସା ସେବା ଉପରକରଣ ପଠାଇଛନ୍ତି ବାଇଡେନ ପ୍ରଶାସନ । ଆମେରିକାରୁ ଆସିଥିବା ବିମାନରେ ଆସିଛି

  • ଅକ୍ସିଜେନ କନସେନଟ୍ରେଟର – ୧, ୭୦୦
  • ଅକ୍ସିଜେନ ସିଲିଣ୍ଡର – ୧,୧୦୦
  • ଅକ୍ସିଜେନ ରେଗୁଲେଟର
  • ଋାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟିଂ କିଟ – ୧ କୋଟି
  • ଏନ ୯୫ ମାସ୍କ – ୧.୫ କୋଟି
  • ରେମେଡିସିଭିର ଇଞ୍ଜେକସନ – ୨୦, ୦୦୦
  • ଚିକିତ୍ସା ସେବା ସଂପର୍କିତ ଅନ୍ୟ ଉପକରଣ

ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟରେ କରୋନା ଚିକିତ୍ସା ସମ୍ପର୍କିତ ସାମଗ୍ରୀ ପଠାଇବା ସହ ଆଗକୁ ମଧ୍ୟ ଭାରତ ସହ କାନ୍ଧରେ କାନ୍ଧ ମିଳାଇ କରୋନା ମୁକାବିଲା କରିବା ପାଇଁ ପ୍ରତିଶ୍ରୁତି ଦେଇଛି ଆମେରିକା । ସେପଟେ ଦକ୍ଷିଣ ଏସିଆରେ କୋଭିଡ ମୁକାବିଲା ପାଇଁ ଚୀନ ଡାକିଥିବା ବୈଠକରେ ସାମିଲ ହୋଇ ନାହିଁ ଭାରତ । ମଙ୍ଗଳବାର ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱି- ଦକ୍ଷିଣ ଏସିଆରେ ସମସ୍ତ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ସାମିଲ ପାଇଁ ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଥିବା କହିଛି ଚୀନ । ସେହିପରି ଭାରତ-ଚୀନ ସରକାରଙ୍କ ଠାରୁ ସିଧା ସଳଖ କୋଭିଡ ମୁକାବିଲା ପାଇଁ କୌଣସି ସାମଗ୍ରୀ ଆମଦାନି କରୁନାହାନ୍ତି । ହେଲେ ଭାରତୀୟ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଅକ୍ସିଜେନ କନସେନଟ୍ରେଟର ପାଇଁ ବରାଦ ମିଳିଥିବା କହିଛନ୍ତି ଭାରତରେ ଥିବା ଚୀନ ରାଷ୍ଟ୍ରଦୂତ ସନ ୱିଡଙ୍ଗ ।