ଆମେରିକାରେ ଗୁପ୍ତଚରୀ ବିରୋଧରେ ବଡ ଆକ୍ସନ, ପେଗାସସ ନିର୍ମାଣକାରୀ କମ୍ପାନୀକୁ କଳା ତାଲିକା ଭୁକ୍ତ

90

କନକ ବ୍ୟୁରୋ : ଗୁପ୍ତଚରୀ ଉପରେ ଆମେରିକା ଏବେ ଆକ୍ସନ ମୋଡକୁ ଆସିଛି । ପେଗାସସ ସ୍ପାଏୱେର ନିର୍ମାଣକାରୀ ଇଜ୍ରାଇଲ କମ୍ପାନୀ ଏନଏସଓ ଗ୍ରୁପକୁ କଳା ତାଲିକାଭୂକ୍ତ କରିଛି । କିଛିଦିନ ହେବ ଗୁପ୍ତଚରୀ କରୁଥିବା ନେଇ ଏନଏସଓ ଗ୍ରୁପ ବଡ ଚର୍ଚ୍ଚାରେ ଥିଲା । ଏନେଇ ଆମେରିକା ସରକାରଙ୍କ କହିବା କଥା କି, ସରକାର ଏହାର ବ୍ୟବହାର ଗୁପ୍ତଚରୀ ପାଇଁ କରିଥିଲେ ତେଣୁ ଆମେରିକା ସରକାର ଏନଏସଓ ଗ୍ରୁପକୁ କଳା ତାଲିକାଭୂକ୍ତ କରିଛନ୍ତି । ଆମେରିକାର ବାଣିଜ୍ୟ ବିଭାଗ ଏକ ବୟାନରେ କହିଛନ୍ତି କି ପେଗାସସ୍ ସ୍ପାଏୱେର କଥିତ ରୂପେ ସାମ୍ବାଦିକ, ମାନବାଧିକାର କାର୍ଯ୍ୟକର୍ତ୍ତା, ବିରୋଧୀଦଳ ନେତାଙ୍କ ଗୁପ୍ତଚରୀ କରିବାକୁ ବ୍ୟବହାର କରାଯାଉଥିଲା । ଏହି କାରଣରୁ ବୁଧବାର ଦିନ ଆମେରିକା ପକ୍ଷରୁ ଏନଏସଓ ଗ୍ରୁପ ଓ ଅନ୍ୟଏକ ଇଜ୍ରାଇଲ କମ୍ପାନୀ ‘କ୍ୟାଣ୍ଡେରୋ’ କୁ କଳାତାଲିକାଭୁକ୍ତ କରାଯାଇଛି ।

ଆମେରିକା ବାଣିଜ୍ୟ ବିଭାଗର କହିବା ମୁତାବକ ଏନଏସଓ ଗ୍ରୁପ ଓ କ୍ୟାଣ୍ଡେରୋ କମ୍ପାନୀ ବିଦେଶୀ ସରକାରଙ୍କ ପାଇଁ ସ୍ପାଏୱେୟାର ପ୍ରସ୍ତୁତ କରୁଥିଲା । ଯାହାକୁ କି ଅନ୍ୟ ଦେଶର ସରକାରମାନେ ସରକାରୀ ଅଧିକାରୀ, ସାମ୍ବାଦିକ, ବ୍ୟବସାୟୀ ଓ ଦୂତାବାସ କର୍ମଚାରୀଙ୍କ ଉପରେ ଗୁପ୍ତଚରୀ କରିବାକୁ ବ୍ୟବହାର କରୁଥିଲେ ।

ବର୍ତ୍ତମାନ ଆମେରିକା ଇଜ୍ରାଇଏ କମ୍ପାନୀ କ୍ୟାଣ୍ଡେରୋ ଓ ଏନଏସଓ ଗ୍ରୁପ ସହ ଅନ୍ୟ ଦୁଇଟି କମ୍ପାନୀକୁ ବି କଳା ତାଲିକାଭୁକ୍ତ କରିଛି । ଯାହା ମଧ୍ୟରେ ସିଙ୍ଗାପୁର ସ୍ଥିତ ‘କମ୍ପ୍ୟୁଟର ସିକ୍ୟୁରିଟି ଇନସିଏଟିଭ କନସଲଟେନ୍ସି ପିଟିଇ’ ଓ ଋଷ କମ୍ପାନୀ ପଜିଟିଭ୍ ଟେକ୍ନୋଲୋଜୀ ବି ସାମିଲ ଅଛି । କଳା ତାଲିକାଭୁକ୍ତ କରାଯିବା ପରେ ଏହି କମ୍ପାନୀଗୁଡିକରୁ ଆମେରିକା କିଛି ବି କିଣିପାରିବ ନାହିଁ ।