ଇରାକର ବାଗଦାଦରେ କ୍ରମାଗତ ଆମେରିକାର ଏୟାରଷ୍ଟ୍ରାଇକ୍ ଜାରି । ୱାସିଙ୍ଗଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧ ଆଶଙ୍କା । ଇରାନୀ ସୈନିକଙ୍କୁ ଆମେରିକା ସେନାର ଟାର୍ଗେଟ୍, ୬ ଜଣ ମୃତ ସୂଚନା ।

261

କନକ ବ୍ୟୁରୋ: ଇରାକର ବାଗଦାଦ୍ ଅଂଚଳରେ କ୍ରମାଗତ ଦ୍ୱିତୀୟ ଦିନରେ ଆମେରିକାର ଏୟାରଷ୍ଟ୍ରାଇକ୍ । ଶନିବାର ଇରାନୀ ଯୋଦ୍ଧାଙ୍କ ଉପରେ ଆକ୍ରମଣ କରିଛି ଆମେରିକା । ଶୁକ୍ରବାର ଏୟାର ଷ୍ଟ୍ରାଇକ ପରେ ୱାସିଙ୍ଗଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧ ଆଶଙ୍କା କରି ପୁଣିଥରେ ଇରାନୀ ସୈନିକଙ୍କୁ ଟାର୍ଗେଟ କରିଛି ଆମେରିକା ସେନା । ଇରାନ କୁଦସ ଫୋର୍ସର କମାଣ୍ଡର କାସିମ ସୁଲେମାନୀଙ୍କ ହତ୍ୟା ପରେ ତାଙ୍କ ସମର୍ଥନରେ ବାହାରିବାକୁ ଥିବା ଶୋଭାଯାତ୍ରା ପୂର୍ବରୁ ଏଭଳି ପଦକ୍ଷେପ ନେଇଛି ଟ୍ରମ୍ପ ପ୍ରଶାସନ । ସୁଲେମାନୀର ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଦେଖାଦେଇଛି । ଗଲ୍ଫ ଅଂଚଳକୁ ୩ ହଜାରରୁ ଅଧିକ ସେନା ପଠାଇଛି ଆମେରିକା ।

କ୍ରମାଗତ ଦ୍ୱିତୀୟ ଦିନରେ ଇରାକର ବାଗଦାଦରେ ଆକାଶମାର୍ଗରୁ ଆକ୍ରମଣ କରିଛି ଆମେରିକା । ଆକାଶମାର୍ଗରୁ ଆକ୍ରମଣରେ ୬ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । ହେଲେ ଏଥିରେ କେହି ଟପ୍ କମାଣ୍ଡର ମୃତାହତ ହୋଇନାହାନ୍ତି । ଶୁକ୍ରବାର ଆମେରିକା ପକ୍ଷରୁ ହୋଇଥିବା ଆକାଶମାର୍ଗରୁ ଆକ୍ରମଣରେ ଇରାକର ଶୀର୍ଷ ସାମରିକ ଜେନେରାଲ କାସିମ ସୁଲେମାନୀର ମୃତ୍ୟୁ ହୋଇଥିଲା । ଏହାପରେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଶୀର୍ଷ ସ୍ତରରେ ପହଂଚିଛି । ପ୍ରତିଶୋଧ ପରାୟଣ ହୋଇ ଇରାନ ସାଂଘାତିକ ପଦକ୍ଷେପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଯାହା ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

କାସୀମ ସୁଲେମାନୀର ମୃତ୍ୟୁ ପରେ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ମାମଲାରେ ଋଷିଆ, ଆମେରିକାକୁ ବିରୋଧ କରିବା ସହ ଏଭଳି ପଦକ୍ଷେପ ସାରାବିଶ୍ୱରେ ଉତେଜନା ବୃଦ୍ଧିର କାରଣ ହେବ ବୋଲି କହିଛି । ସେପଟେ ସଂଯମତା ରକ୍ଷା କରିବା ପାଇଁ ଆମେରିକା ଓ ଇରାନକୁ ପରାମର୍ଶ ଦେଇଛି ଚୀନ୍ । ଶୁକ୍ରବାର ଦିନ ଆମେରିକାର ପ୍ରଥମ ଏୟାରଷ୍ଟ୍ରାଇକରେ ଇରାନ କୁଦସ ଫୋର୍ସର କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ହୋଇଥିଲା । ଏୟାର କିଛି ଘଂଟା ପରେ ପୁଣି ଥରେ ଆକ୍ରମଣ କରିଛି ଆମେରିକା । ଫଳରେ ଦୁଇ ଦେଶ ମଧ୍ୟରେ ଉତେଜନା ଚମର ସୀମାରେ ପହଂଚିଛି ।