କାବୁଲ ବିମାନବନ୍ଦର ନିକଟରେ ପୁଣି ବଡ଼ ବିସ୍ଫୋରଣ । ଆଇଏସଆଇଏସ ଆତଙ୍କୀଙ୍କୁ ଟାର୍ଗେଟ କରି ଆମେରିକାର ରକେଟ ମାଡ

263

କନକ ବ୍ୟୁରୋ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ହମିଦ୍ କାରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ଥରି ଉଠିଛି କାବୁଲ ସହର । ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଆଇଏସଆଇଏସ-ଖୁରାସନ ଆତଙ୍କବାଦୀଙ୍କ ଗାଡିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରିଛି ଆମେରିକା । ବିମାନ ବନ୍ଦର ନିକଟ ଜନବସତିରେ ଆତ୍ମଘାତୀ ହମଲା ପାଇଁ ଛକି ରହିଥିବା ଆତଙ୍କବାଦୀ ଏକ ଗାଡିରେ ଏୟାରପୋର୍ଟ ଆସୁଥିବା, ସୂଚନା ମିଳିବା ପରେ ଆମେରିକା ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ଆତଙ୍କବାଦୀ ଆସୁଥିବା ଗାଡିକୁ ଚିହ୍ନଟ କରିବା ପରେ ଡ୍ରୋନ ମାଡ କରିଛନ୍ତି ଆମେରିକା ସେନା । ଏହି ପାଲଟା ଆକ୍ରମଣରେ ଜଣେ ଶିଶୁ ସମେତ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ରକେଟ ମାଡରେ ସମଗ୍ର ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା । କଳା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା କାବୁଲ ଆକାଶ । ଜନବସତି ଉପରେ ଆକ୍ରମଣ ହୋଇଥିବାରୁ ଆତଙ୍କିତ ହୋଇପଡିଛନ୍ତି ଲୋକେ । ଏହାପୂର୍ବରୁ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ସିରିଜ୍ ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଆଫଗାନ ନାଗରିକଙ୍କ ସମେତ ୧୩ ଆମେରିକୀୟ ସୈନ୍ୟଙ୍କର ଜୀବନ ଯାଇଥିଲା । ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ-ଖୋରାସନ ନିଜକୁ ଦାୟୀ କରିଥିଲା । ଆଇଏସ-ଖୋରାସାନର ଜିହାଦି ନିଜ ଦେହରେ ବମ୍ ବାନ୍ଧି ଆତ୍ମଘାତି ବିସ୍ଫୋରଣ ଘଟାଇଥିଲା । ଦିନକ ପରେ ଆମେରିକା ଆଇଏସଏସ ଆତଙ୍କବାଦୀ ଆଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା।

ଆମେରିକାର ଆକ୍ରମଣ ଆଇଏସଆଇଏସ୍ ସଂଗଠନର କିଛି ଆତଙ୍କବାଦୀ ନିହତ ହୋଇଥିବା ନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଥିଲା । ଏପରିକି ଯେଉଁଠି ଲୁଚିଲେ ବି ଆଇଏସଆଇଏସ ସଂଗଠନର ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବ ବୋଲି ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଥିଲେ । କିନ୍ତୁ ଆମେରିକାର ପାଲଟା ଆକ୍ରମଣ ପରେ ଆତଙ୍କବାଦୀମାନେ ୨୪ରୁ ୩୬ ଘଂଟା ମଧ୍ୟରେ ପୁଣି ଆକ୍ରମଣ କରି ପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେରିକା ସୈନ୍ୟ ଓ ସାଧାରଣ ଲୋକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ସେ ସତର୍କ କରିଥିଲେ ।