ସରକାର ଆଣିଲେ ନୂଆ ନିୟମ ! ଖୁଲମଖୁଲ୍ଲା ଭୋଟ୍ ଦିଅ

45

କନକ ବ୍ୟୁରୋ : ଦଳୀୟ ପ୍ରାର୍ଥୀ ଛଡ଼ା ଅନ୍ୟ କାହାକୁ ଭୋଟ୍ ଦେଲେ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ଚାଲିଯାଇପାରେ । ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ଦଳରୁ ତଡ଼ା ଖାଇପାରନ୍ତି । ନିର୍ବାଚନ ପ୍ରକ୍ରିୟା ନ ସରିବା ପୂର୍ବରୁ ହଠାତ୍ ଜିଲା ପରିଷଦ ଆଇନରେ ଏଭଳି ପରିବର୍ତନ ଆଣିଛନ୍ତି ରାଜ୍ୟ ସରକାର । ଘୋଡ଼ା ବେପାରକୁ ରୋକିବାରେ ଏହା ସହାୟକ ହେବ ବୋଲି ବିଜେଡି କହୁଥିବା ବେଳେ ସରକାର ଭୟଭୀତ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିିଛି ବିଜେପି ।

ଜିଲ୍ଳା ପରିଷଦ ନିର୍ବାଚନରେ ସଭାପତି ପଦ ନିର୍ବାଚନ ପାଇଁ ନିର୍ବାଚିତ ପ୍ରତିନିଧିଙ୍କୁ କହିବା ପାଇଁ ପଡ଼ିବ ସେମାନେ କାହାକୁ ଭୋଟ୍ ଦେଲେ? ଦଳୀୟ ସଭ୍ୟ ଗୋପନୀୟ ଭାବରେ ଭୋଟ୍ ଦେଇପାରିବେ ନାହିଁ । ଆପଣ କାହାକୁ ଭୋଟ୍ ଦେଉଛନ୍ତି ଦଳୀୟ ଏଜେଂଟଙ୍କୁ ଜଣାଇବାକୁ ବାଧ୍ୟ । ପଂଚାୟତିରାଜ ବିଭାଗ ପକ୍ଷରୁ ଏଭଳି ଏକ ବିଜ୍ଞପ୍ତି ୮ ତାରିଖରେ ପ୍ରକାଶ ପାଇଛି । ଜିଲ୍ଲା ପରିଷଦ ନିର୍ବାଚନରେ ଘୋଡ଼ା ବେପାରକୁ ରୋକିବା ପାଇଁ ନିୟମରେ ଏଭଳି ସଂଶୋଧନ ଅଣାଯାଇଛି ବୋଲି ବିଜେଡି କହୁଥିବା ବେଳେ ଏହାକୁ ସମାଲୋଚନା କରିଛି ବିଜେପି ।

ରବିବାର ହେବାକୁ ଥିବା ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପୂର୍ବରୁ ଆଜି ନବୀନ ନିବାସରେ ବସିଥିଲା ଦଳର ଜିଲ୍ଲା ସଭାପତି ଓ ବିଧାୟକମାନଙ୍କ ବୈଠକ । ଦଳୀୟ ପ୍ରାର୍ଥୀ ହେବା ପରେ ବ୍ୟକ୍ତିର ସ୍ୱାଧୀନତା ନୁହେଁ, ଦଳର ହ୍ୱିପ୍ ଅନୁସାରେ ଭୋଟ୍ ଦେବାକୁ ହେବ । ଅନ୍ୟଥା ଦଳରୁ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସ୍ପଷ୍ଟ କରିଦିଆଯାଇଥିଲା ।

ସେପଟେ, ୩୦ ଜିଲ୍ଲା ପରିଷଦରୁ ୫ଟିରେ ଝୁଲା ପରିିଷଦ ଗଠନ ହେବାର ସମ୍ଭାବନା ଦେଖାଦେଇଥିବାରୁ ବିଜେଡି ଭୟଭୀତ ହୋଇପଡ଼ିଛି ବୋଲି ଅଭିଯୋଗ ଆଣିଛି ବିଜେପି । ପଂଚାୟତ ନିର୍ବାଚନ ପ୍ରକ୍ରିୟା ଏବଂ ବିଧାନସଭାର ବଜେଟ୍ ଅଧିବେଶନ ଜାରି ରହିଥିବା ବେଳେ ସରକାର କିଭଳି ଭାବେ ଏହି ଅଧ୍ୟାଦେଶ ଆଣିଲେ ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –