ଗଛ ପାଇଁ ରାସ୍ତାରେ ଗଡୁଛି ଆମ୍ବୁଲାନ୍ସ । ଗଛଲତାଙ୍କର ନେଉଛି ସମ୍ପୂର୍ଣ୍ଣ ଯତ୍ନ

281

କନକ ବ୍ୟୁରୋ: ମଣିଷ ଜୀବନକୁ ବଞ୍ଚାଇବାକୁ ଆମ୍ବୁଲାନ୍ସ ବ୍ୟବହାର ହେଉଥିବା ଆପଣ ଦେଖିଥିବେ । ହେଲେ ଏବେ ରାସ୍ତାରେ ଗଡୁଛି ଟ୍ରି ଆମ୍ବୁଲାନ୍ସ । ବୁଲି ବୁଲି ସହରଯାକ ଗଛଙ୍କର କରୁଛି ଚିକତ୍ସା । ହ୍ରଦର ନଗରୀ ଭାବେ ଜଣାଶୁଣା ଉଦୟପୁରରେ ଗଛଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଟ୍ରି ଆମ୍ବୁଲାନ୍ସ ।

ନମୋକାର ବୋଲି ଏକ ସଙ୍ଗଠନ ସହରରେ ସବୁଜିମା ଆଣିବାକୁ ଏବଂ ଗଛ ସମ୍ପଦର ସୁରକ୍ଷା ପାଇଁ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି । ଚାରିଆଡେ ଇଟା ସିମେଣଣ୍ଟର ପ୍ରାଧାନ୍ୟ ଦେଖାଯାଉଥିବାବେଳେ ସହରକୁ ସବୁଜିମାରେ ଭରିଦେବାକୁ ସଂସ୍ଥା ଆରମ୍ଭ କରିଛି ଟ୍ରି ଆମ୍ବୁଲାନ୍ସ ସେବା । ଗଛ ଲଗାଇବା ଠାରୁ ଆରମ୍ଭ କରି ଏହାକୁ ପାଣି ଦେବା ଏବଂ ଆବଶ୍ୟକ ସ୍ଥଳେ କୌଣସି କାରଣରୁ ନଷ୍ଟ ହୋଇଯାଉଥିବା ଗଛର ଚିକିତ୍ସା ମଧ୍ୟ କରାଯାଉଛି । ଏହି ଆମ୍ବୁଲାନ୍ସରେ ରହିଛି ଗଛଙ୍କ ପାଇଁ ଆବଶ୍ୟକ ସବୁ ଉପକରଣ । ଏଯାଏଁ ସଂସ୍ଥାର କର୍ମଚାରୀ ୫ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି । ଏତିକିରେ କଥା ସରୁନି ଯେଉଁ ଗଛ ଗୁଡିକୁ ଲଗାଯାଏ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆମ୍ବୁଲାନ୍ସ ବୁଲି ବୁଲି ସେଗୁଡିକର ଯାଞ୍ଚ କରେ ଯେ, ଗଛ ଗୁଡିକ ସୁସ୍ଥ ଅଛନ୍ତି କି ନାହିଁ । ଆବଶ୍ୟକ ସ୍ଥଳେ ଗଛ ଗୁଡିକର ଉପଚାର ମଧ୍ୟ କରାଯାଏ ।

ଟ୍ରି ଆମ୍ବୁଲାନ୍ସରେ ସବୁବେଳେ ୬ଜଣିଆ କର୍ମଚାରୀ ରହିଥାନ୍ତି । ଏମାନେ ଆମ୍ବୁଲାନ୍ସ ନେଇ ସକାଳ ୭ଟାରୁ ବାହାରି ଯାନ୍ତି ଯେ ସନ୍ଧ୍ୟା ୫ଟା ଯାଏଁ ସହରର ଗଛ ମାନଙ୍କ ରକ୍ଷାବେକ୍ଷଣରେ ଲାଗିଥାନ୍ତି । ପ୍ରଥମେ ଏହି ସଂସ୍ଥାକୁ ୩୫ଜଣ ମିଶି ଆରମ୍ଭ କରିଥିଲେ । ହେଲେ ଏପରି ଏକ ସକାରାତ୍ମକ କାମକୁ ଦେଖି ଏଥିରେ ୭୫୦ରୁ ଅଧିକ ଲୋକ ଯୋଡି ହେଲେଣି । ନିଜ ନିଜ ପକେଟରୁ କିଛି ଟଙ୍କା ଦେଇ ଗଛ ମାନଙ୍କ ପାଇଁ ବିନଯୋଗ କରନ୍ତି । ଏବେ ତ ସ୍ଥାନୀୟ ଲୋକ ଏହାକୁ ପ୍ରଶଂସା କରୁଛନ୍ତି । ନମୋକାର ସଂସ୍ଥାର ଏହି ଟ୍ରି ଆମ୍ବୁଲାନ୍ସ ଲୋକଙକ ମନରେ ଉଜାଗର ଗରିଛି ପ୍ରକୃତି ପ୍ରତି ଥିବା ପ୍ରତ୍ୟେକଙ୍କର ଦାୟିତ୍ୱବୋଧକୁ ।