ଏମିତି ଦୁଃଖ କାହିଁକି ଦିଅ ଭଗବାନ? ୧ ଲକ୍ଷ ୩୫ ହଜାର ଖର୍ଚ୍ଚ କରି ସ୍ୱାମୀଙ୍କୁ ଆମ୍ବୁଲାନ୍ସରେ ଦିଲ୍ଲୀରୁ ଆଣୁଥିଲେ, କିନ୍ତୁ ଅଧାବାଟରେ ଚାଲିଗଲା ପ୍ରାଣ ।
କନକ ବ୍ୟୁରୋ : ରୋଗାକ୍ରାନ୍ତ ସ୍ୱାମୀଙ୍କୁ ଦିଲ୍ଲୀରୁ ବାଲିଆପାଳ ଆଣିବା ପାଇଁ ଆମ୍ବୁଲାନ୍ସ ଭଡ଼ା ବାବଦରେ ଲକ୍ଷେ ୩୫ ହଜାର ଗଣିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ମୃତଦେହ ଆସୁଥିବା କଥା ଶୁଣି ଗ୍ରାମବାସୀ କରୋନା ଭୟରେ ଗାଁରେ ପୂରେଇ ଦେଲେନି। ଫଳରେ ଉପାୟଶୂନ୍ୟ ପତ୍ନୀ ବାଲେଶ୍ବର ସଦର ବ୍ଲକ ବାଲିଘାଟ ଶ୍ମଶାନରେ ଶବ ସତ୍କାର କରି ଘରକୁ ଯାଇଛନ୍ତି। କରୋନା କାଳରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ କୁମ୍ଭାରୀ ଗାଁରେ।
Kanak News is now on WhatsApp
Join and get latest news updates delivered to you via WhatsApp
କୁମ୍ଭାରୀ ଗ୍ରାମର ତ୍ରିଲୋଚନ ଚାନ୍ଦ ଓ ସୁଭଦ୍ରା ଚାନ୍ଦଙ୍କର ଏକମାତ୍ର ପୁଅ ସୁବ୍ରତ ଦିଲ୍ଲୀରେ ୧୫ ବର୍ଷ ଧରି ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ପତ୍ନୀ ସୁଷମା ଓ ଦୁଇବର୍ଷର ଶିଶୁପୁତ୍ର ସହ ସୁବ୍ରତ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ବଡ଼ଝିଅ ଗାଁରେ ଜେଜେ ବାପା, ଜେଜେମା ପାଖରେ ରହି ପଢ଼ୁଥିଲେ। କିଛିଦିନ ତଳେ ତାଙ୍କୁ ଜ୍ବର ହେବାରୁ ବାହାରୁ ଔଷଧ କିଣି ଖାଇଥିଲେ। ହେଲେ ଜ୍ବର କମିନଥିଲା। କରୋନା ଟେଷ୍ଟ ରିପୋର୍ଟ ବି ନେଗେଟିଭ୍ ଆସିଥିଲା। ଦେହ ଭଲ ନ ହେବାରୁ ସେ ବହୁ କଷ୍ଟରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେଠାରେ ବେଡ୍ କିମ୍ବା ଉପଯୁକ୍ତ ଚିକିତ୍ସା ପାଇଲେ ନାହିଁ। ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ଅକ୍ସିଜେନର ଆବଶ୍ୟକ ପଡ଼ିଲା। ହେଲେ ଅକ୍ସିଜେନ୍ ନ ମିଳିବାରୁ ପତ୍ନୀ ପରିବାର ଲୋକଙ୍କୁ ଜଣାଇବା ପରେ ସୁବ୍ରତଙ୍କୁ ଘରକୁ ଆଣିବା ପାଇଁ ଘର ଲୋକେ ବ୍ୟବସ୍ଥା କରିଥିଲେ। ୧ ଲକ୍ଷ ୩୫ ହଜାର ଟଙ୍କା ଖର୍ଚ୍ଚ କରି ଏକ ଘରୋଇ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ସହ ଗତ ୫ ତାରିଖରେ ପଠାଇଥିଲେ। ଆମ୍ବୁଲାନ୍ସ ୭ ତାରିଖ ଦିନ ଦିଲ୍ଲୀରେ ପହଞ୍ଚିଥିଲା। ଅକ୍ସିଜେନ୍ ଲଗାଇ ସୁବ୍ରତଙ୍କୁ ଆମ୍ବୁଲାନ୍ସରେ ତାଙ୍କ ସ୍ତ୍ରୀ ଶିଶୁପୁତ୍ରକୁ ଧରି ବାହାରିଥିଲେ। ମାତ୍ର ୨ ଶହ କିମି ଆସିବା ପରେ ସୁବ୍ରତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଛାତିରେ କୋହକୁ ଚାପି ସୁଷମା ମୃତଦେହ ଧରି ଆସିଥିଲେ। ହେଲେ ଏହି କଥା ଶୁଣିବା ପରେ ଗାଁ ଲୋକେ କରୋନା ଭୟରେ ମୃତଦେହକୁ ଗାଁରେ ପୂରେଇ ଦେବେନି ବୋଲି ଅଡ଼ି ବସିଥିଲେ। ସେପଟେ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାପା, ମା ଭାଙ୍ଗିପଡ଼ିଥିବା ବେଳେ ଗ୍ରାମବାସୀଙ୍କ କଥାକୁ ବିରୋଧ କରିନଥିଲେ, ଅପରନ୍ତୁ ପୁଅର ଶେଷକୃତ୍ୟ ପାଇଁ ଜାଗା ଖୋଜିଥିଲେ। ଗତକାଲି ବିଳମ୍ବିତ ରାତିରେ ସୁବ୍ରତଙ୍କ ମୃତଦେହ ବାଲେଶ୍ବରରେ ପହଞ୍ଚିବା ପରେ ସରପଞ୍ଚ ଜୟନାରାୟଣ ମହାପାତ୍ରଙ୍କ ସହଯୋଗକ୍ରମେ ବାଲେଶ୍ବର ବାଲିଘାଟ ଶ୍ମଶାନରେ ପୁଅର ଶବ ସତ୍କାର କରିଥିଲେ। ପତ୍ନୀ ସୁଷମା ଓ ତାଙ୍କ ଶିଶୁପୁତ୍ର ଏବେ ଗାଁ ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି।