ଦେଶରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ । ଛତିଶଗଡ ରାୟପୁରରେ ରୋଗୀଙ୍କୁ ମିଳୁନି ଡାକ୍ତରଖାନା, ଶବ ରଖିବାକୁ ନାହିଁ ଜାଗା ।

ଗୁଜରାଟ ଓ ଦିଲ୍ଲୀରେ ରୋଗୀଙ୍କ ପାଇଁ ବେଡ୍ ଅଭାବର ଚିତ୍ର

145

କନକ ବ୍ୟୁରୋ: ଆଜି ଦେଶରେ ଦୈନିକ ସଂକ୍ରମଣ ଏକ ଲକ୍ଷ ୬୧ ହଜାର ପାର କରିଯାଇଛି । ଏହାରି ଭିତରେ ଛତିଶଗଡରୁ ଆସିଛି ଏକ ଚିନ୍ତାଜନକ ଚିତ୍ର । ବର୍ତମାନ କରୋନା ରୋଗୀଙ୍କ ସଂଖ୍ୟା ଏତେ ହୋଇଯାଇଛି ଯେ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ନାହିଁ ବେଡ୍ । ଆମ୍ବୁଲାନ୍ସରେ ଅପେକ୍ଷା କରିବାକୁ ପଡୁଛି ରୋଗୀଙ୍କୁ , କେତେବେଳେ ତାଙ୍କର ପାଳି ପଡିବ, ସେମାନେ ହସ୍ପିଟାଲରେ ଭର୍ତି ହେବେ ।

ଛତିଶଗଡର ରାୟପୁର ସହରର ସରକାରୀ ଡାକ୍ତରଖାନା ଆଗରେ ଲାଗିଛି ଆଂବୁଲାନ୍ସର ଲମ୍ବା ଲାଇନ୍ । ଡାକ୍ତରଖାନା ଟିକଟ କାଉଁଟର ଆଗରେ ବି ଲୋକ ଭିଡ । ଡାକ୍ତରଖାନାର ଅନ୍ୟ କାଉଁଟର ବି ଖାଲିନାହିଁ । ଏ ପରିସ୍ଥିତି ହେଉଛି ବର୍ତମାନ ଛତିଶଗଡରେ ବଢିଥିବା କରୋନା ସଂକ୍ରମଣର ପରବର୍ତି କାଳର । ଆମ୍ବୁଲାନ୍ସରେ ବୁହା ହୋଇ ଆସିଛନ୍ତି କରୋନା ରୋଗୀ । କିନ୍ତୁ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ୍ ନାହିଁ । ଏପଟେ ଜଣକ ପରେ ଜଣେ ଆଖି ବୁଜୁଛନ୍ତି କରୋନା ଆକ୍ରାନ୍ତ । ଏବେ ଶବାଗାରର ଆଖପାଖରେ ଶବ ପଡିଥିବାର ଦେଖିବାକୁ ମିଳୁଛି ।

ଅନ୍ୟପଟେ ଅହମ୍ମଦାବାଦ ଡାକ୍ତରଖାନାରେ ବି ସ୍ଥିତି ଅତି ସଂଘାତିକ । ବାହାରକୁ ବଡ ବଡ କୋଠା ଦେଖାଯାଉଥିଲେ ମଧ୍ୟ ସତ ହେଉଛି, ବର୍ତମାନ ଏଠାରେ କରୋନା ରୋଗୀଙ୍କ ପାଇଁ ବେଡ୍ ନାହିଁ । ଆଉ ଆମ୍ବୁଲାନ୍ସରେ ଅକ୍ସିଜେନ୍ ପାଇଁ ସଂଘର୍ଷ କରି ପଡି ରହିଛନ୍ତି ରୋଗୀ । ଗୋଟିଏ ବେଡ୍ ଖାଲି ହେଲେ, ସିରିଏଲ କରି ଆଉ ଜଣେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବ । ଏହାରି ଭିତରେ ଆଖି ଆଗରେ ଚାଲି ଯାଉଛି ପ୍ରିୟଜନଙ୍କ ଜୀବନ । ହସ୍ପିଟାଲରେ ରହିଛି ୧୨ ଶହ ବେଡ୍ । ତାହା ବି ଫୁଲ୍ ହୋଇଯାଇଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ।

ମହାରାଷ୍ଟ୍ର ଓ ଦିଲ୍ଲୀରେ ବି ସ୍ଥିତି ଅତି ସାଂଘାତିକ । କୌଣସି ଡାକ୍ତରଖାନାରେ କରୋନା ରୋଗୀଙ୍କ ପାଇଁ ବେଡ୍ ଆବଶ୍ୟକ ମୁତାବକ ନାହିଁ ।  ସମୟକୁ ସମୟ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଛି । ସେହି ଅନୁସାରେ କିନ୍ତୁ ଡାକ୍ତରଖାନା ଗୁଡିକରେ ବେଡ୍ ନାହିଁ । ଦିଲ୍ଲୀର ସୁଚିତ୍ରା କୃପାଳିନୀ ମେଡିକାଲ ଏବଂ ଡକ୍ଟର ଏନସି ଜୋସୀ ମେଡିକାଲର ଚିତ୍ର ଦେଖିଲେ ଆପଣ ସହଜରେ ବୁଝିପାରିବେ । ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଜାଗା ନାହିଁ ।  ସମାନ ଅବସ୍ଥା ଦିଲ୍ଲୀର ଲୋକନାୟକ ଡାକ୍ତରଖାନାରେ । ବାହାରେ ଆଂବୁଲାନ୍ସରେ ଅପେକ୍ଷା କରି ରହିଛନ୍ତି ରୋଗୀ, କେତେବେଳେ ପଡିବ ସେମାନଙ୍କ ପାଳି, ଭର୍ତି ହେବେ ଡାକ୍ତରଖାନାରେ ।