କନକ ବ୍ୟୁରୋ : ରୋଗୀକୁ ହସ୍ପିଟାଲରେ ଛାଡି ଫେରିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ଦୀର୍ଘ ୨ ଘଣ୍ଟା ଧରି ଆମ୍ବୁଲାନ୍ସରେ ଚାପି ହୋଇ ରହିଥିଲେ ଡ୍ରାଇଭର । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ନବରଙ୍ଗପୁର ଜିଲ୍ଲା ଝରିଗାଁ-ଉମରକୋଟ ମୁଖ୍ୟ ରାସ୍ତାର ବାଞ୍ଜିଆମ୍ବା ନିକଟରେ ଘଟିଥିଲା ଏହି ଅଘଟଣ । ସୂଚନା ଅନୁସାରେ ଝରିଗାଁ ବ୍ଲକ ଚକଲାପଦର ଗାଁର ଜଣେ ଗୁରୁତର ରୋଗୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାଡିବାକୁ ଯାଇଥିଲା ଆମ୍ବୁଲାନ୍ସ । ମେଡିକାଲରେ ଛାଡି ଫେରିବା ବେଳେ ବାଞ୍ଜିଆମ୍ବ ଗାଁ ନିକଟେ ଭାରସାମ୍ୟ ହରାଇ ରାସ୍ତା କଡର ଏକ ଗଛରେ ପିଟି ହୋଇ ୫ ଫୁଟ ତଳେ ଥିବା ଧାନ ଜମିରେ ଓଲଟି ପଡିଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସର ସାମ୍ନାପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଗାଡିର ଷ୍ଟିଅରିଂ ଓ ସିଟ ମଝିରେ ଚାପି ହୋଇଯାଇଥିଲେ ଡ୍ରାଇଭର ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ଡ୍ରାଇଭରଙ୍କୁ ଆମ୍ବୁଲାନ୍ସରୁ ବାହାର କରିଥିଲେ । ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଡ୍ରାଇଭରଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁହଁ ଆଘାତ ଲାଗିଛି । ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରତର ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।