ବ୍ରହ୍ମଗିରି : ଚିକିତ୍ସା ପାଇଁ ଯାଉଥିବା ଶିଶୁର ମୃତ୍ୟୁ ହେବାରୁ ଅଧାବାଟରେ ଛାଡିଦେଲେ ଆମ୍ବୁଲାନ୍ସ କର୍ମଚାରୀ

23

ବ୍ରହ୍ମଗିରି : ପୁଣି ନଜରକୁ ଆସିଛି ଆମ୍ବୁଲାନ୍ସ କର୍ମଚାରୀଙ୍କ ଅମାନବିକତା । ଚିକିତ୍ସା ପାଇଁ ଯାଉଥିବା ଶିଶୁର ବାଟରେ ମୃତ୍ୟୁ ହେବାରୁ ଅଧାବାଟରେ ଛାଡିଦେଲେ ଆମ୍ବୁଲାନ୍ସ କର୍ମଚାରୀ । ପୁରୀ ବ୍ରହ୍ମଗିରିରେ ଘଟିଛି ଏହି ଅଭାବନୀୟ ଘଟଣା । ଆମ୍ବୁଲାନ୍ସ ମୃତ ଶିଶୁକୁ ନଆଣିବାରୁ କୃଷ୍ରପ୍ରସାଦ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତେଜିତ ଲୋକମାନେ କ୍ଷତିପୂରଣ ଦାବିରେ କୃଷ୍ରପ୍ରସାଦର ଚାରିଛକରେ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ କୃଷ୍ଣପ୍ରସାଦର ହରିହର ନାୟକଙ୍କ ଚାରି ବର୍ଷର ପୁଅ ଦୁଷ୍ମନ୍ତ ଅସୁସ୍ଥ ଥିଲା । ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ମେଡିକାଲକୁ ଆମ୍ବୁଲାନ୍ସ ସହାୟତାରେ ନେଉଥିଲେ ହରିହର । ଘରଠାରୁ ୩୦ କିଲୋମିଟର ଯିବା ପରେ ବଜ୍ରକୋଟ ନିକଟରେ ଦୁଷ୍ମନ୍ତର ମୃତ୍ୟୁ ହୋଇଥିଲା ।

ଏହା ଜଣାପଡିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଅଧାବାଟରେ ମୃତ ଶିଶୁକୁ ଛାଡି ଚାଲିଯାଇଥିଲା । ଚାଲି ଚାଲି ପୁଅର ଶବକୁ ନେଇ ଗାଁକୁ ଆସିଥିଲେ ହରିହର । ଏହା ପ୍ରଘଟ ହେବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପ୍ରଶାସନର ପହଁଚି ନଥିବା ଜଣାପଡିଛି ।