ମରିଗଲା ମାନବିକତା । ଶବକୁ ଶଶ୍ମାନକୁ ନବାକୁ ମାତ୍ର ୬କିମି ପାଇଁ ୧୪ ହଜାର ଟଙ୍କା ମାଗିଲେ ଆମ୍ବୁଲାନ୍ସ ଚାଳକ ।

397

କନକ ବ୍ୟୁରୋ : ଅଦୃଶ୍ୟ ଭୂତାଣୁ ସହ ସାରା ବିଶ୍ୱ ଲଢୁଥିବା ବେଳେ, ଏକ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହା ମଣିଷପଣିଆ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାତ୍ର ୬ କିଲୋମିଟର ବାଟ ଯିବାକୁ ୧୪ ହଜାର ଟଙ୍କା ଦାବି କରିଛନ୍ତି ଜଣେ ଆମ୍ବୁଲାନ୍ସ ଚାଳକ । ମାନବିକତାକୁ ମାରିଦେଇଥିବା ଏହି ଘଟଣାଟି ହେଉଛି ରାଜଧାନୀ ଦିଲ୍ଲୀର ।

ଦିଲ୍ଲୀର ନ୍ୟୁ ଲାଇଫ୍ ହସ୍ପିଟାଲରେ ଜଣେ ରୋଗୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା । ଏହାପରେ ଶବକୁ ଶଶ୍ମାନକୁ ନବାକୁ ପରିବାର ଲୋକ ହସ୍ପିଟାଲ ବାହାରେ ଥିବା ଏକ ଆମ୍ବୁଲାନ୍ସ ସହ କଥାବାର୍ତ୍ତା କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଚାଳକ ଜଣଙ୍କ ୧୪ ହଜାର ଟଙ୍କା ନବା ପାଇଁ ଦାବି କରିଥିଲେ । ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ହସ୍ପିଟାଲରୁ ଶଶ୍ମାନର ଦୂରତା ମାତ୍ର ୬ କିଲୋମିଟର । ମାତ୍ର ୬ କିଲୋମିଟର ପାଇଁ ଆମ୍ବୁଲାନ୍ସ ଚାଳକ ଜଣଙ୍କ ୧୪ହଜାର ଟଙ୍କା ଦାବି କରିବା ମହାମାରୀ ବେଳେ ମଣିଷପଣିଆ ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି ।

ତେବେ ପରିବାର ଲୋକ ଏନେଇ ଦିଲ୍ଲୀ ପୋଲିସ ପାଖରେ ଅଭିଯୋଗ କରିବା ପରେ କାନ୍ଧି ଲାଲ ନାମକ ଏହି ଆମ୍ବୁଲାନ୍ସ ଚାଳକକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଆଉ ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପୋଲିସ କଡା ଚେତାବନୀ ମଧ୍ୟ ଦେଇଛି । କିନ୍ତୁ ମହାମାରୀ କରୋନା ସମୟରେ ସମସ୍ତେ ସମସ୍ତଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଥିବା ବେଳେ, କିଛି ଅସାଧୁ ବ୍ୟକ୍ତି ଏଭଳି ସମୟର ଫାଇଦା ଉଠାଇବାକୁ ଚିନ୍ତା କରୁଛନ୍ତି ।