କନକବ୍ୟୁରୋ: ଖଟିଆ ପାଲଟିଛି ଆମ୍ବୁଲାନ୍ସ । ଭାରରେ ବୁହା ହେଲେ ଗର୍ଭବତୀ। ଖଟିଆକୁ ଦଉଡି ସାହାଯ୍ୟରେ କାନ୍ଧେଇ ୬ କିଲୋମିଟର କାଦୁଅ ରାସ୍ତା ଚାଲିଲେ ସଂପର୍କୀୟ। ବିକାଶର ବିକଳ ଚିତ୍ର ଆସିଛି କନ୍ଧମାଳ ତୁମୁଡିବନ୍ଧ ବ୍ଲକ ମାସ୍କାଗୁଡ଼ା ଗାଁରୁ। ଗତକାଲି ଅପରାହ୍ଣର ଏ ଦୃଶ୍ୟ ରାଜ୍ୟରେ ଗମନାଗମନ ବ୍ୟବସ୍ଥାର ମୁଖା ଖୋଲି ଦେଇଛି। ଏଯାଏଁ ସବୁ ଗାଁକୁ ଭଲ ରାସ୍ତାଟିଏ ନଥିବା କଥାକୁ ପଦାରେ ପକାଇ ଦେଇଛି। ସୂଚନା ଅନୁସାରେ ମାସ୍କାଗୁଡ଼ା ଗାଁର କୁମାରୀ ମାଝିଙ୍କ ପ୍ରସବ ଯନ୍ତ୍ରାଣା ହେବାରୁ ପରିବାର ଲୋକ ଆମ୍ୱୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ୱୁଲାନ୍ସ ଆସିଥିଲା ହେଲେ, ଗାଁରେ ପହଂଚି ପାରିନଥିଲା। କାରଣ ଗାଁର ମାଟି ରାସ୍ତା ବର୍ଷା ଯୋଗୁଁ ସଂପୂର୍ଣ୍ଣ ବିଗିଡି ଯାଇଛି।

Advertisment

ଆମ୍ବୁଲାନ୍ସ ନଆସିବାରୁ ତେଣୁ କୁମାରୀଙ୍କୁ ଖଟିଆରେ ଶୁଆଇ ବାଉଁଶ ଓ ଦଉଡି ସାହାର୍ଯ୍ୟରେ କାନ୍ଧେଇ କାନ୍ଧେଇ ଗାଁ ଠାରୁ ୬ କିଲୋମିଟର ଦୂରରେ ଥିବା ଆମ୍ୱୁଲାନ ପାଖକୁ ଆଣିଥିଲେ । ସେଠାରୁ ତାଙ୍କୁ ତୁମୁଡିବନ୍ଧ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।

ସେପଟେ ଝିଅର ଜୀବନ ବଞ୍ଚାଇବାକୁ ମା’ ସଂଘର୍ଷ। ବିକାଶର ମୁଖା ଖୋଲୁଛି କାଦୁଅ ପଚପଚ ରାସ୍ତା। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପାବଲିଗୁଡା ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ହୋଇପାରିଲା ନାହିଁ। ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ। ଏଭଳି ପରିସ୍ଥିତିରେ ମନୋଜ ପତ୍ରସଉରାଙ୍କ ଝିଅ ଗୈାରୀ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରିବାରୁ ଆମ୍ବୁଲାନ୍ସ ଆସିଲା କିନ୍ତୁ ଗାଁ ଭିତରେ ଯାଇ ପାରିଲାନି। ମା’ ଲିଲି ପତ୍ରସଉରା ନିଜ ଅସୁସ୍ଥ ଝିଅକୁ କାନ୍ଧରେ ବୋହି ଝିପି ଝିପି ବର୍ଷାରେ ଅଧ କିଲୋମିଟର ଦୂରରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ଯାଏ ଯାଇଥିଲେ । ଏହାପରେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଝିଅ ଗୈାରୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରୋଗୀ ବୁହା ହେବା କୋରାପୁଟ ଜିଲ୍ଲାରେ କିଛି ନୂଆ କଥା ନୁହେଁ। କିନ୍ତୁ ଗାଁ ବିକାଶ କଥା ସରକାରଙ୍କ ମୁଖା ଖୋଲି ଦେଇଛି ।