ପଞ୍ଜାବ ମୁଖ୍ୟମନ୍ତ୍ରୀ ରେସରେ ଅମ୍ବିକା ସୋନୀ ଆଗୁଆ । ଦିନ ୧୧ଟାରେ ବିଧାୟକ ଦଳ ବୈଠକରେ ହେବ ଶେଷ ନିଷ୍ପତ୍ତି ।

196

କନକ ବ୍ୟୁରୋ: ପଞ୍ଜାବ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ଏବେ ରାଜ୍ୟର ନୂଆ କ୍ୟାପଟେନ୍ କିଏ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ହେଲେ ଏହାରି ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଇଁ ଗୋଟିଏ ନାଁ ସାମ୍ନାକୁ ଆସିଛି । କୁହାଯାଉଛି ଅମ୍ବିକା ସୋନୀ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

ଅମ୍ବିକା ସୋନୀଙ୍କ ନାଁରେ କଂଗ୍ରେସ ହାଇକମାଣ୍ଡ ମୋହର ମାରିସାରିଥିବାବେଳେ, ଦିନ ୧୧ଟାରେ ବସିବାକୁ ଥିବା ବିଧାୟକ ଦଳ ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳୁଛି । ତେବେ ମୁଖ୍ୟମନ୍ତ୍ରୀ ସହିତ ଏଥର ପଞ୍ଜାବରେ ଦୁଇଜଣ ନେତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇପାରେ ବୋଲି ସୂଚନା ମିଳୁଛି ।

ଗତକାଲି ବହୁ ବିବାଦ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି କ୍ୟାପଟେନ୍ ଅମିରନ୍ଦର ସିଂହ । ତେବେ ତାଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ମୁଖ୍ୟମନ୍ତ୍ରୀ ରେସରେ ଏକାଧିକ ନେତା ଥିବାବେଳେ ଏବେ ଅମ୍ବିକା ସୋନୀ ଏହି ରେସରେ ସାମିଲ ହୋଇଛନ୍ତି । କୁହାଯାଉଛି, କ୍ୟାପଟେନ୍-ସିଦ୍ଧୁଙ୍କ ମଧ୍ୟରେ ଅମ୍ବିକା ସୋନୀ ହିଁ ସଠିକ୍ ଯୋଗସୂତ୍ର ରକ୍ଷା କରିପାରିବେ । ତା ସହିତ ସୁନୀଲ ଜାଖଡଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ, କ୍ୟାପଟେନ୍ ଏହି କଥାକୁ ନେଇ ଦଳ ବିରୋଧୀ ହୋଇପାରନ୍ତି । ତେଣୁ ଅମ୍ବିକାଙ୍କୁ ମୁଖ୍ୟମନ୍ତ୍ରୀ କରାଇ କଂଗ୍ରେସ ନେତୃବୃନ୍ଦ ଏବେ କ୍ୟାପଟେନ୍-ସିଦ୍ଧୁ ବିବାଦକୁ ରୋକିବାକୁ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ତେବେ ଆଜି ଦିନ ୧୧ଟାରେ ବସିବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।