କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳୀ ଅମ୍ବାତି ରାଇଡୁ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି । ୩୭ ବର୍ଷିୟ ଏହି ପୂର୍ବତନ ଖେଳାଳୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି । କ୍ରିକେଟରୁ ଅବସର ନେବା ପରେ ସେ ଆଜି ରାଜନୀତିରେ ଯୋଗ ଦେଇଛନ୍ତି ।

Advertisment

ୱାଇଏସଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ଦଳ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅମ୍ବାତିଙ୍କ ଯୋଗଦାନ ଦଳକୁ ଲାଭ ଦେବ ବୋଲି ଆଶା କରାଯାଉଛି । ଏହାସହ ଆଗାମୀ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

ସୂଚନା ଥାଉକି ରାଇଡୁ ଶେଷଥର ପାଇଁ ଚଳିତ ବର୍ଷ ଆଇପିଏଲରେ ମେ ୨୯ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଖେଳିଥିଲେ । ଏହାସହ ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ନିଜ ଜନ୍ମଭୂମୀ ଗୁଣ୍ଟୁର ଜିଲ୍ଲାର ପ୍ରତିଟି ସ୍ଥାନ ଗସ୍ତ କରିବା ସହ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ରାଇଡୁ ଭାରତୀୟ ଟିମ୍ ପାଇଁ ୫୫ଟି ଏକଦିବସୀୟ ମ୍ୟାଚ ଖେଳି ୧୬୯୪ ରନ କରିଛନ୍ତି । ଏକଦିବସୀୟରେ ରାଇଡୁ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି ।