କନକ ବ୍ୟୁରୋ : ଏବେ ଆଇପିଏଲର ମହାସମର ଚାଲିଛି । ହେଲେ ସିଜିନ ଅଧାରୁ ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ ଆଜି ମଧ୍ୟାହ୍ନରେ ନିଜର ଅବସର ଘୋଷଣା ନେଇ ନିଜ ଟ୍ୱିଟର ହ୍ୟାଣ୍ଡଲରୁ ଟ୍ୱିଟ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଥିଲେ କି ଚଳିତ ଆଇପିଏଲ ସିଜିନ ତାଙ୍କ କ୍ୟାରିଅରର ଶେଷ ଆଇପିଏଲ । ଏହାସହ ସେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସଙ୍କ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ଏଭଳି ଟ୍ୱିଟ ଦେଖି ପ୍ରଶଂସକମାନେ ଚକିତ ହୋଇ ଯାଇଥିଲେ ।
ହେଲେ ଏଭଳି ଟ୍ୱିଟ କରିବାର କିଛି ସମୟ ପରେ ରାୟୁଡୁ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ପୁଣି ଟ୍ୱିଟଟିକୁ ଡିଲିଟି ମାରି ଦେଇଥିଲେ । ଏହାକୁ ନେଇ ଏବେ ପ୍ରଶଂସକମାନେ ଦ୍ୱନ୍ଦରେ ପଡିଛନ୍ତି । ଏପର୍ଯ୍ୟନ୍ତ ସ୍ପଷ୍ଟ ହେଉନାହିଁ କି ବାସ୍ତବରେ ସେ ଆଇପିଏଲରୁ ଅବସର ନେଉଛନ୍ତି ନା ଆଉ କିଛି ।
କହିରଖୁ କି ଅମ୍ବାତି ରାୟୁଡୁ ୨୦୧୦ ମସିହାରେ ତାଙ୍କର ଆଇପିଏଲ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ୧୩ ବର୍ଷର ଆଇପିଏଲ କ୍ୟାରିଅର ମଧ୍ୟରେ ୭ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବା ବେଳେ ୨୦୧୮ ମେଗା ଅକ୍ସନରେ ସେ ୬.୭୫ କୋଟି ଟଙ୍କା ନିଲାମରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବାକୁ ଚୁକ୍ତି କରିଥିଲେ । ସେ ଆଇପିଏଲରେ ଏପର୍ଯ୍ୟନ୍ତ ୧୮୭ ଟି ମ୍ୟାଚ୍ ଖେଳି ୨୯.୨୮ ହାରରେ ୪୧୮୭ ରନ କରିଛନ୍ତି । ଏହା ମଧ୍ୟରେ ୨୨ ଟି ଅର୍ଦ୍ଧଶତକ ଓ ୨ ଶତକ ରହିଛି ।