ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବିରୋଧୀଙ୍କ ଶାଣିତ ଆକ୍ରମଣ । ବରଗଡ ଏସପି ଅଫିସ ଆଗରେ କଂଗ୍ରେସର ଧାରଣା

107

କନକ ବ୍ୟୁରୋ : ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ କଂଗ୍ରେସର ଯୋରଦାର ପ୍ରତିବାଦ । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ କଂଗ୍ରେସ ନେତା ଓ କର୍ମୀ ବରଗଡ ଏସପି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତିା ଅଭିଯୋଗ କରିଛନ୍ତି, ଓଡିଶା ପୁଲିସ ଗୃହ ବିଭାଗରେ ଅଧିନରେ ରହି ବିଜୁ ଜନତା ଦଳ ପାଇଁ କାମ କରୁଛି । ସେପଟେ ଥାନାରେ ବ୍ୟାପକ ଭଙ୍ଗାରୁଜା ଘଟଣାରେ ପୁଲିସ ତଦନ୍ତ କରି ସିସିଟିଭି ଆଧାରରେ ଶହେ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଶତାଧିକ ଯୁବକ ଅମ୍ବାଭୋନା ଥାନାକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ । ତାମଦେଇକୁ ବଣ ଭୋଜି ପାଇଁ ଯାଇଥିବା କିଛି ଗାଡିରେ ଗଂଜେଇ ରଖିଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇ ଅତର୍କିତ ଚଢାଉ କରିଥିଲା । ତେବେ କିଛି ନମିଳିବାରୁ ଯୁବକଙ୍କ ସହ ବଚସା ହୋଇଥିଲା । ଏହାପରେ ସଂପୃକ୍ତ ଯୁବକମାନେ ଥାନାକୁ ଯାଇ ଆଲୋଚନା କରୁଥିବା ସମୟରେ ଶତାଧିକ ଯୁବକ ଥାନା ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ କଂଗ୍ରେସ କର୍ମୀ ଆଜି ରାସ୍ତାକୁ ଓହ୍ଲାଇବା ସହ ଆଗକୁ ସାରାରାଜ୍ୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏହି ଘଟଣାରେ ଭଟ୍ଟଲି ବିଧାୟକ ସୁଶାନ୍ତ ସିଂହ ସଂପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଗଣ୍ଡଗୋଳ ପୂର୍ବରୁ ସୁଶାନ୍ତ, ଗଣ୍ଡଗୋଳକାରୀଙ୍କ ସହ ଥିଲେ ବୋଲି ଅଭିଯୋଗ କରିଛନ୍ତି ।

ସମାନ ମାମଲାରେ ସରକାରଙ୍କୁ ବିଜେପି ତରଫରୁ ମଧ୍ୟ ସମାଲୋଚନା କରାଯାଇଛି । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସୁଶାନ୍ତ ସିଂ ଓ ଗୃହରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦାବି କରିଛନ୍ତି ।

ସେପଟେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ତାଙ୍କ ପାଖରେ ଏ ସଂପର୍କରେ ଖବର ନାହିଁ । ଖବର ଆସିଲେ ପ୍ରତିକ୍ରିୟା ରଖିବେ ।

ଅନ୍ୟପଟେ ବରଗଡ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ପ୍ରତିବାଦ କଟକରେ ଦେଖିବାକୁ ମଳିଛି । ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟିଛନ୍ତି । ଥାନାରେ ଲଙ୍କାକାଣ୍ଡ ଘଟଣାରେ ବିଜେଡି ବିଧାୟକ ସୁଶାନ୍ତ ସିଂହ ଓ ତାଙ୍କ ସମର୍ଥକଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି । ଘଟଣାରେ ସଠିକ୍ ଢଙ୍ଗରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିରୋଧୀ ଦାବି କରିଛନ୍ତି । ପ୍ରତ୍ୟେକ୍ଷଦର୍ଶୀ ଓ ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ଘଟଣାର ତଦନ୍ତ କରି ଭଟ୍ଟଲି ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି ।