ଲୋସନ୍ ବଦଳରେ ହେଡ଼ଫୋନ୍ ଦେଲା ଆମାଜନ୍ : ଅନଲାଇନ୍ ସପିଙ୍ଗରେ ମଗାଇଥିଲେ ୩୦୦ ଟଙ୍କିଆ ସ୍କିନ୍ ଲୋସନ୍ ଘରକୁ ଆସିଲା ୧୯ ହଜାର ଟଙ୍କାର ହେଡ଼ଫୋନ୍ ।

2,171

ଅନଲାଇନ୍ ସପିଙ୍ଗରେ ଗୋଟିଏ ପ୍ରଡ଼କ୍ଟ ପାଇଁ ଅର୍ଡର ଦେଇଥିବେ ଆଉ ଡେଲିଭରି ବେଳକୁ ଅନ୍ୟ କିଛି ପ୍ରଡକ୍ଟ ଆସିଯାଇଥିବ ଏଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳିଛି । କେବେ ସ୍ମାର୍ଟଫୋନ୍ ଜାଗାରେ ସର୍ଫ ତ ଆଉ କେଉଁଠି ଟିଭି ଜାଗାରେ ଇଟା ପେଡ଼ି । ଏଭଳି ଅନେକ ଖବର ସାମ୍ନାକୁ ଆସିଛି । କିନ୍ତୁ ନିକଟରେ ଯେଉଁ ଘଟଣା ଘଟିଛି ତାହା ଖୁବ୍ ଚର୍ଚ୍ଚାରେ ରହିଛି । ଜୋସ୍ ସଫ୍ଟୱେରର ନିର୍ଦ୍ଦେଶକ ଗୌତମ୍ ରେଗେ ଆମାଜନ୍ ଆପରୁ ୩୦୦ ଟଙ୍କିଆ ସ୍କିନ୍ ଲୋସନ୍ ଅର୍ଡର କରିଥିଲେ । କିନ୍ତୁ ଲୋସନ୍ ସ୍ଥାନରେ ଆସିଲା ୧୯ ହଜାର ଟଙ୍କିଆ ହେଡଫୋନ୍ । ଯାହାର ସୂଚନା ସେ ନିଜ ଟ୍ୱିଟର୍ ହ୍ୟାଣ୍ଡଲରେ ଦେଲେ ।

ତେବେ ରୋଚକପୂର୍ଣ୍ଣ କଥା ହେଉଛି ରେଗେ ଯେତେବେଳେ କମ୍ପାନୀର କଷ୍ଟମର୍ କେୟାରକୁ ହେଡଫୋନ୍ ଫେରାଇବା ପାଇଁ ଫୋନ୍ କଲେ କମ୍ପାନୀ ପକ୍ଷରୁ ତାଙ୍କୁ ହେଡଫୋନ୍ ରଖିବା ପାଇଁ କୁହାଯାଇଥିଲା । ପ୍ରଡକ୍ଟଟି “ନନ୍‌-ରିଟର୍ଣ୍ଣେବଲ୍‌” ଥିବାରୁ କମ୍ପାନୀ ହେଡ଼ଫୋନ୍ ନେବାକୁ ମନା କରିଦେଇଥିଲା । ଗୌତମ୍ ରେଗେ ଟ୍ୱିଟରରେ ଏହାର ଏକ ଫଟୋ ସେୟାର୍ କରିଛନ୍ତି , ଯେଉଁଥିରେ ଗୋଟିଏ ବାକ୍ସ ଭିତରେ ବୋସ୍ ୱାୟାରଲେସ୍ ହେଡଫୋନ୍ ରଖାଯାଇଛି । ଯାହାର ଦାମ୍ ୧୯ ହଜାର ଟଙ୍କା ରହିଛି । ବର୍ତ୍ତମାନ ଏହି ଟ୍ୱିଟଟି ଟ୍ୱିଟରରେ ଖୁବ୍ ଭାଇରାଲ୍ ହେଉଛି ।