ଚୀନକୁ ଆମାଜନର ଝଟକା, ଏକାସଙ୍ଗରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କଲା କମ୍ପାନି ।

164

କନକ ବ୍ୟୁରୋ : ଅନଲାଇନ ସପିଂ ୱେବସାଇଟ ଆମାଜନରୁ ବେଶ ସହଜରେ ଓ ସୁବିଧାରେ ଲୋକେ ଅର୍ଡର କରିଥାନ୍ତି । ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସାମଗ୍ରୀ ଆଉ ତାସାଙ୍ଗରେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇ ଦେବ ଆମାଜନ ବେଶ ଲୋକପ୍ରିୟ ହୋଇଛି । ତେଣୁ ଏହି ୱେବସାଇଟରେ କିଛି ଖରାପ ସାମଗ୍ରୀ ବିକ୍ରି ହେଉ ତାହା ଚାହୁଁନାହିଁ ଆମାଜନ୍ । ସେଥିପାଇଁ ଆମାଜନ ନିଜର ନିୟମକୁ ନେଇ ବେଶ କଠୋର । କୌଣସି କମ୍ପାନି ନିୟମର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇ ନଥାଏ ଆମାଜନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମାଜନ ୬୦୦ଟି ଚୀନ୍ ସାମଗ୍ରୀକୁ ନିଜ ୱେବସାଇଟରୁ ବ୍ୟାନ୍ କରିଛି ।

ରିପୋର୍ଟ ଅନୁଯାୟୀ, ୬୦୦ଟି ଚୀନ୍ ବ୍ରାଣ୍ଡକୁ ନିୟମ ଉଲ୍ଲଂଘନ ପାଇଁ ବ୍ୟାନ୍ କରିଛି ଆମାଜନ । ଏହି ବ୍ରାଣ୍ଡ ଗୁଡିକ କମ୍ପାନିର ରିଭ୍ୟୁ ପଲିସିରେ ହେରଫେର କରିଥିଲେ, ଯାହା ଆମାଜନକୁ ମଞ୍ଜୁର ନଥିଲା । ତେଣୁ ଆମାଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି । ନିଜ ସାମଗ୍ରୀ ଉପରେ ଭଲ ରିଭ୍ୟୁ ଦେବାକୁ ଚୀନ୍ କମ୍ପାନି ଗୁଡିକ ଲୋକଙ୍କୁ ଆମାଜନ ଗିଫ୍ଟ କାର୍ଡ ଦେଉଥିଲେ । ଯାହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମାଜନ । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଆମାଜନ ସବୁବେଳେ ଲୋକଙ୍କୁ ଭଲ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରିଥାଏ । ତେଣୁ ପ୍ରତି ସାମଗ୍ରୀକୁ ନେଇ ଯେଉଁ ରିଭ୍ୟୁ ଆସିଥାଏ ତାହା କମ୍ପାନି ପାଇଁ ବେଶ ଗୁରୁତ୍ୱ ବହନ କରିଥାଏ । କାରଣ ଏହି ରିଭ୍ୟୁ ପଲିସିକୁ ଦେଖି ଲୋକେ ସାମଗ୍ରୀ କିଣିଥାନ୍ତି । ତେଣୁ ଗ୍ରାହକଙ୍କୁ ମିଛ ରିଭ୍ୟୁ ଜାଲରେ ଫଶାଇବାକୁ ସହଜରେ ଗ୍ରହଣ କରିପାରିନି କମ୍ପାନି ।

ଯେହେତୁ କମ୍ପାନିର ପଲିସିର ବିରୋଧରେ ଏଭଳି କରାଯାଇଛି ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯଦି ଆବଶ୍ୟକ ପଡେ ଆଇନଗତ ପଦକ୍ଷେପ ନେବାକୁ ବି କମ୍ପାନି ପଛାଇବ ନାହିଁ ।
କମ୍ପାନି ପକ୍ଷରୁ କୁହାଯାଇଛି, କେବଳ ଚୀନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ଏହାକୁ କୌଣସି ଷଡଯନ୍ତ୍ର ଭାବିବା ଭୁଲ । ଆମାଜନ ପୂରା ବିଶ୍ୱରେ ଏହି କ୍ୟାମ୍ପେନ ଲାଗୁ କରିବାକୁ ଯାଉଛି, ତେଣୁ କମ୍ପାନିର ପଲିସିକୁ ଯିଏ ବି ଉଲ୍ଲଂଘନ କରିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ଦେଶକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯିବ ନାହିଁ ବୋଲି କହିଛି ଆମାଜନ ।