ଟିକା ବଣ୍ଟନରେ ଭାରତକୁ ମିଳିବ ପ୍ରାଥମିକତା: କୋଭିଡ୍ ଟିକା ପ୍ରସ୍ତୁତିର ତଦାରଖ ନେଇ ମୋଦିଙ୍କ ଅନୁଧ୍ୟାନ ପରେ ପ୍ରତିକ୍ରିୟା ରଖିଲେ ସିରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ

ପୁନାୱାଲା କହିଲେ, ୨ ସପ୍ତାହରେ ଜରୁରୀକାଳିନ ଅନୁମତି ପାଇଁ ହେବ ଆବେଦନ

227

କନକ ବ୍ୟୁରୋ: ଆସନ୍ତା ୨ ସପ୍ତାହ ମଧ୍ୟରେ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଡ୍ରଗ୍ସ କଂଟ୍ରୋଲର ଅଫ୍ ଇଣ୍ଡିଆ ନିକଟରେ ଆବେଦନ କରିବ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତିର ସମୀକ୍ଷା କରିବା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦାର ପୁନାୱାଲା । ତେବେ କେନ୍ଦ୍ର ସରକାରଙ୍କୁ ଟିକା ଯୋଗାଣ ନେଇ ତାଙ୍କ କମ୍ପାନୀ କୌଣସି ଚିଠି ଲେଖି ନାହିଁ । ସାଧାରଣରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମିଳୁଥିବା ତଥ୍ୟ ଅନୁସାରେ ଭାରତକୁ ଜୁଲାଇ ୨୦୨୧ ସୁଦ୍ଧା ୩୦ କୋଟିରୁ ୪୦ କୋଟି ମାତ୍ରାର ଟିକା ଆବଶ୍ୟକ ।

ତେବେ ଏହି ସମୟରେ ସେରମ୍ ଇନଷ୍ଟିଚ୍ୟୁଟ ପ୍ରାୟ ୧୦ କୋଟି ମାତ୍ରାର ଟିକା ପ୍ରସ୍ତୁତ କରିସାରିଥିବ ବୋଲି ସୂଚନା ଦେଇଛନ୍ତି ପୁନାୱାଲା । ଅନ୍ୟପଟେ ଏହି ଟିକା ବିତରଣ ପାଇଁ ତାଙ୍କ କଂପାନୀ ପାଇଁ ଭାରତକୁ ପ୍ରାଥମିକତା ଦିଆଯିବ । ୟୁରୋପୀୟ ରାଷ୍ଟ୍ରରେ ବିତରଣ ଦାୟିତ୍ୱ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ନେବେ ବୋଲି ସେ ସୂଚନା ଦେଇଛନ୍ତି । ଆବଶ୍ୟକ ହେଲେ ସେମାନଙ୍କ ପାଇଁ ମଧ୍ୟ ଭାରତରେ ଟିକା ପ୍ରସ୍ତୁତ କରାଯାଇପାରିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ପୁନାୱାଲା ସୂଚନା ଦେଇଛନ୍ତି ।

ପୁଣେ ଓ ମନ୍ଦ୍ରୀ ଠାରେ ଥିବା ଅତ୍ୟାଧୁନିକ ଲାବ୍କୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିବା ସେ କହିଛନ୍ତି । କୌଣସି ସର୍ଟକଟ୍ ବାଟ ଅପେକ୍ଷା ନିର୍ଧାରିତ ବାଟରେ ହିଁ ଟିକା ପ୍ରସ୍ତୁତି ହେବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା ସୂଚନା ଦେଇଛନ୍ତି । ଅହମଦାବାଦ, ହାଇଦ୍ରାବାଦ ଓ ପୁଣେ ଯାଇ କେଭିଡ ଟିକା ପରୀକ୍ଷଣର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।