ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ଦେବେ କ୍ୟାପଟେନ୍ ଅମରିନ୍ଦର ସିଂହ । କହିଲେ, ସିଦ୍ଧୁ ସାରା ଦେଶ ପାଇଁ ବିପଦ ।

203

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମିରନ୍ଦର ସିଂହ ଇସ୍ତଫା ଦେବାପରେ ଏବେ ସେଠାରେ ଚରଣଜିତ୍ ସିଂହ ସରକାର ଗଠନ ହୋଇଛି । ହେଲେ ଏହାପରେ ମଧ୍ୟ ସିଦ୍ଧୁ-ଅମିରନ୍ଦର ବିବାଦ ଥମିବାର ନାଁ ନେଉନି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ସିଦ୍ଧୁଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି କ୍ୟାପଟେନ୍ । ଏଥିସହ ଆଗାମୀ ବିଧାନସଭା ନିର୍ବାଚନରେ ସେ ସିଦ୍ଧୁଙ୍କ ବିରୋଧରେ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି ।

ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ପ୍ରଦେଶ ଅଧ୍ୟକ୍ଷ ଭାବେ ସିଦ୍ଧୁ ଏହାର ନେତୃତ୍ୱ ନେଇପାରନ୍ତି । ହେଲେ ଏହାକୁ ବିରୋଧ କରୁଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ । ତେଣୁ ତାଙ୍କୁ ବିରୋଧ କରିବାକୁ ଯାଇ ଆଗାମୀ ବିଧାନସଭା ନିର୍ବାଚନରେ ସେ ସିଦ୍ଧୁଙ୍କ ବିରୋଧରେ ନିଜର ପ୍ରାର୍ଥୀ ଦେବେ ବୋଲି ବୁଧବାର ଘୋଷଣା କରିଛନ୍ତି ।

ତାଙ୍କ କହିବା କଥା, ସେ କଦାପି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବେନି । କାହିଁକି ନା, ସିଦ୍ଧୁ ଦେଶ ପାଇଁ ବଡ ବିପଦ । କେବଳ ପଞ୍ଜାବ ନୁହେଁ, ସିଦ୍ଧୁ ସାରା ଦେଶ ପାଇଁ ବିପଦ ବୋଲି କ୍ୟାପଟେନ୍ କହିଛନ୍ତି । ଏହାପୂର୍ବରୁ ମଧ୍ୟ କ୍ୟାପଟେନ୍ ସେହି ସମାନ କଥା କହିଥିଲେ ।  ଏଥିସହିତ କ୍ୟାପଟେନ୍ ଖୁଲାସା କରିି କହିଛନ୍ତି ଯେ, ଇସ୍ତଫା ଦେବାର ତିନି ସପ୍ତାହ ପୂୂର୍ବରୁ ସେ ନିଜେ ଇସ୍ତଫା ଦେବାକୁ କହିଥିଲେ । ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏପରି କରିବାକୁ ତାଙ୍କୁ ମନା କରିଥିଲେ । ହେଲେ ପରେ କିନ୍ତୁ ଦଳୀୟ କନ୍ଦଳକୁ ଦେଖି କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚରଣଜିତ ସିଂହ ଚନ୍ନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।