ରାଜ୍ୟ ପାଇଁ ସିଦ୍ଧୁ ବିପଦ, ରାହୁଲ-ପ୍ରିୟଙ୍କାର ଅନୁଭବ ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବର୍ଷିଲେ କ୍ୟାପଟେନ ଅମରିନ୍ଦର ।

250

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି କ୍ୟାପଟେନ ଅମରିନ୍ଦର । ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି ଅମରିନ୍ଦର । ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି, ସିଦ୍ଧୁଙ୍କୁ ହରାଇବା ପାଇଁ ୨୦୨୨ ଉପ-ନିର୍ବାଚନରେ ତାଙ୍କ ବିପକ୍ଷରେ ଏକ ଟାଣୁଆ ପ୍ରାର୍ଥୀ ଛିଡା କରିବି । ଏପରିକି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ନ କରାଇଦେବାକୁ ସମସ୍ତ ପ୍ରକାର ଶକ୍ତି ଲଗାଇଦେବି ବୋଲି କହିଛନ୍ତି ଅମରିନ୍ଦର । ଯଦି ସିଦ୍ଧୁଙ୍କୁ ଦଳ ପ୍ରାର୍ଥୀ କରେ ତେବେ ତାଙ୍କୁ ରୋକିବା ପାଇଁ ସବୁ ଶକ୍ତି ଲଗାଇବାକୁ ମୁଁ ପ୍ରସ୍ତୁତ ବୋଲି କହିଛନ୍ତି ଅମରିନ୍ଦର ।

ଏହାସହ ଅମରିନ୍ଦର କହିଛନ୍ତି, ସିଦ୍ଧୁ ବେଶ ମାରାତ୍ମକ ଲୋକ । ଏଭଳି ଲୋକଙ୍କ ଠାରୁ ଦେଶକୁ ବଞ୍ଚାଇବାକୁ ପଡିବ । ସିଦ୍ଧୁ ରାଜ୍ୟ ପାଇଁ ମାରାତ୍ମକ, ତାଙ୍କୁ ଅଟକାଇବାକୁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ । ଯେଉଁଥିପାଇଁ ଆସନ୍ତା ୨୦୨୨ ବିଧାନସଭାରେ ସିଦ୍ଧୁଙ୍କ ବିପକ୍ଷରେ ଜଣେ ଟାଣୁଆ ପ୍ରାର୍ଥୀଙ୍କୁ ଛିଡା କରିବି । ଆଉ ଏଭଳି କହି କଂଗ୍ରେସକୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅମରିନ୍ଦର ।

କେବଳ ସିଦ୍ଧୁଙ୍କୁ ନୁହେଁ ବରଂ କଂଗ୍ରେସ ପରିବାର ଉପରେ ମଧ୍ୟ ପରୋକ୍ଷରେ ବର୍ଷିଛନ୍ତି ଅମରିନ୍ଦର । ରାହୁଲ ଓ ପ୍ରିୟଙ୍କାଙ୍କର ଅନୁଭବ ନାହିଁ । ସେମାନଙ୍କୁ ତାଙ୍କର ପରାମର୍ଶଦାତା ଭ୍ରମିତ କରୁଛନ୍ତି । ଏହାଛଡା ଅମରିନ୍ଦର କହିଛନ୍ତି, ୩ ସପ୍ତାହ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲି । କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ସେ କହିଥିଲେ ।ସେତେବେଳେ ଯଦି ସୋନିଆ ଗାନ୍ଧୀ ମୋତେ ପଦ ଛାଡିବାକୁ କହିଥାନ୍ତେ ତେବେ ସେହି କ୍ଷଣି ପଦ ଛାଡି ଦେଇଥାନ୍ତି । ଜଣେ ସୈନିକ ଭାବେ କେମିତି କାମ କରାଯାଏ, କିଭଳି ଦାୟିତ୍ୱ ତୁଲାଯାଏ ତାହା ବେଶ ଭଲ ଭାବେ ମୋତେ ଜଣା ବୋଲି କହିଛନ୍ତି ଅମରିନ୍ଦର ।