କ୍ୟାପଟେନ ଅମରିନ୍ଦରଙ୍କ ବଡ ଘୋଷଣା । ଗଢିବେ ନୂଆ ଦଳ, କହିଲେ ସମ୍ପର୍କରେ ଅଛନ୍ତି ଅନେକ କଂଗ୍ରେସ ନେତା

85

କନକ ବ୍ୟୁରୋ : ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବଡ ଘୋଷଣା । କଂଗ୍ରେସ ଛାଡିବା ପରେ ଅମରିନ୍ଦର ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଖୁବଶୀଘ୍ର ଦଳର ନାମ ଘୋଷଣା କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନୂଆ ଦଳ ବାବଦରେ ଘୋଷଣା କରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ନିଜ କାର୍ଯ୍ୟକାଳରେ ହୋଇଥିବା କାମ ବାବଦରେ ସୂଚନା ଦେଇଛନ୍ତି ଅମରିନ୍ଦର । ତେବେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଅନ୍ୟ କେଉଁ ଦଳ ସହ ମିଶି ଲଢିବ ନା ଏକାକୀ ଲଢିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଅମରିନ୍ଦର କହିଛନ୍ତି, ମୁଁ ନୂଆ ରାଜନୈତିକ ଦଳ ଗଠନ କରୁଛି । ଏବେ ପ୍ରଶ୍ନ ଉଠୁଛି ନୂଆ ଦଳର ନାଁ କଣ, କିନ୍ତୁ ଏ ବାବଦରେ ମୁଁ କହିପାରିବି ନାହିଁ କାରଣ ଏଯାବତ୍ ଦଳର ନାଁ ବାବଦରେ ମୁଁ ଜାଣିନାହିଁ । ଯେତେବେଳେ ନିର୍ବାଚନ ଆୟୋଗ ଦଳର ନାମ ଓ ଚିହ୍ନ ଉପରେ ମୋହର ମାରିବେ ସେତେବେଳେ ଏବାବଦରେ ସମସ୍ତଙ୍କୁ ଜଣାଇବି । କିନ୍ତୁ ଆମ ଦଳ ୧୧୭ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ ।

ନୂଆ ଦଳ ଘୋଷଣା କରିବା ସହ ଅମରିନ୍ଦର ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି । ସିଦ୍ଧୁ ଯେଉଁ ଆସନରୁ ନିର୍ବାଚନ ଲଢିବେ ମୁଁ ମଧ୍ୟ ସେଠାରୁ ନିର୍ବାଚନ ଲଢିବି ବୋଲି କହିଛନ୍ତି ଅମରିନ୍ଦର । ଏହାସହ ସିଦ୍ଧୁଙ୍କୁ କଂଗ୍ରେସ ସଭାପତି କରାଯିବା ପରେ ଦଳର ଲୋକପ୍ରିୟତା ପଞ୍ଜାବରେ ୨୫ ପ୍ରତିଶତ କମିଛି ବୋଲି କହିଛନ୍ତି ଅମରିନ୍ଦର । ଏହାସହ ଅନେକ କଂଗ୍ରେସ ନେତା ମୋ ସହ ସମ୍ପର୍କରେ ରହିଥିବା ସ୍ପଷ୍ଟ କରିଛନ୍ତି କ୍ୟାପଟେନ । ଅନ୍ୟପଟେ ଅମରିନ୍ଦରଙ୍କ ଏଭଳି ଘୋଷଣା ଏବେ ପଞ୍ଜାବ ରାଜନୀତିରେ ରୋଚକ ମୋଡ ସୃଷ୍ଟି କରିଛି । ପଞ୍ଜାବରେ କ୍ୟାପଟେନ କଂଗ୍ରେସର ହାତ ଛାଡିବା ପରେ ଏବେ ଦଳକୁ ବଡ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛି ।