କେବେ ଘୋଷଣା ହେବ କଂଗ୍ରେସର ନୂଆ ସଭାପତି? ପ୍ରିୟଙ୍କା ଗାନ୍ଧିଙ୍କ ସମର୍ଥନରେ ବାହାରିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅମରିନ୍ଦର ସିଂ କହିଲେ, କଂଗ୍ରେସ ସଭାପତି ପ୍ରିୟଙ୍କା ହେଲେ ଦଳକୁ ମିଳିବ ଠିକ୍ ନେତୃତ୍ୱ

110

କନକ ବ୍ୟୁରୋ: ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ବି ଥମୁନି କଂଗ୍ରେସର ସଭାପତି ସସପେନ୍ସ । କିଏ ହେବ ନୂଆ ସଭାପତି ସେ ନେଇ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧିଙ୍କ ସଭାପତିତ୍ୱକୁ ସମର୍ଥନ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦର ସିଂହ । ସେ କହିଛନ୍ତି, କଂଗ୍ରେସ ସଭାପତି ପଦ ପାଇଁ ପ୍ରିୟଙ୍କା ହିଁ ସବୁଠାରୁ ଭଲ ଚଏସ ହେବେ ।

 

ଜଣେ ଯୁବ ଚେହେରା ହିଁ ଦଳର ସଭାପତି ହେବା ଦରକାର । ଜଣେ ଯୁବ ଚେହେରା ହିଁ ଦଳ ସହ ଲୋକଙ୍କୁ ଯୋଡିବ । କଂଗ୍ରେସର ନୂଆ ସଭାପତିଙ୍କ ଘୋଷଣା ପୂର୍ବରୁ ଅମରିନ୍ଦର ସିଂଙ୍କ ଏହି ମନ୍ତବ୍ୟକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଛି । ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମେ ୨୫ ତାରିଖରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧି ।

ଏହାପରଠୁ ଦଳର ନୂଆ ସଭାପତିଙ୍କ ନାଁ ଘୋଷଣା ହୋଇନାହିଁ । ଦଳର କର୍ମୀ ଓ ବଡ ନେତା ଇସ୍ତଫା ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ବି ରାହୁଲ ଗ୍ରହଣ କରିନାହାନ୍ତି । ରାହୁଲ ଗାନ୍ଧି ଏବେ ବିଦେଶରୁ ଫେରିଛନ୍ତି । ତେଣୁ ଆଶା କରାଯାଉଛି ଖୁବଶୀଘ୍ର ସଭାପତିଙ୍କ ନାଁ ଘୋଷଣା ହେବ ।