ବିଜେଡି କାର୍ଯ୍ୟାଳୟରେ ମୁହାଁମୁହିଁ, ଅନନ୍ତ-ଅମରେଶ କଥା କଟାକଟି: ହୋଇପାରିଲାନି ବିଜୁ ଜୟନ୍ତୀ ପ୍ରସ୍ତୁତି ବୈଠକ; ଜିଲ୍ଲା ସଭାପତି, ମେୟର ପଦବିକୁ ନେଇ କୁହୁଳୁଛି ଅସନ୍ତୋଷ

Advertisment
ତିର୍ତୋଲ ବ୍ଲକ ସଭାପତି ପଦକୁ ନେଇ ବିଜେଡିରେ କନ୍ଦଳ । ଉପନିର୍ବାଚନ ପାଇଁ ହୋଇଥିବା ରୁଦ୍ଧଦ୍ୱାର ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ : ବରିଷ୍ଠ ବିଜେଡି ନେତାଙ୍କ ଆକଟ ସତ୍ୱେ କର୍ମୀ କର୍ମୀଙ୍କ ମଧ୍ୟରେ ଠେଲାପେଲା

କନକ ବ୍ୟୁରୋ: ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ଏକ ଅଭାବନୀୟ ଘଟଣା ଘଟିଛି। ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି ଅମରେଶ ଜେନା ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଏପରି କଥା କଟାକଟି ହୋଇଥିଲା ଯେ ବୈଠକ ହୋଇପାରି ନ ଥିଲା। ଏହି ଘଟଣା ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଦେଇଛି। ଜିଲ୍ଲା ସଭାପତି ଓ ମେୟର ପଦବିକୁ ନେଇ ଭୁବନେଶ୍ବର ବିଜେଡିରେ କିଛି ଦିନ ହେଲା ଚାଲିଥିବା ଗୋଷ୍ଠୀକନ୍ଦଳର ଏହା ପରିଣତି ବୋଲି କୁହାଯାଉଛି।

ଦୁଇ ଦିନ ତଳେ ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ତଥା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିଜୁ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଡାକିଥିଲେ। କେବଳ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ସକ୍ରିୟ କର୍ମୀମାନଙ୍କୁ ଏଠାକୁ ଡକାଯାଇଥିଲା। ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ କର୍ପୋରେଟର୍ ଅମରେଶ ଜେନାଙ୍କୁ ଡକାଯାଇ ନଥିଲା। ଏହାକୁ ନେଇ କ୍ଷୁବ୍ଧ ଥିବା ଅମରେଶ ତାଙ୍କ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅମରେଶଙ୍କୁ କାହିଁକି ଡକାଯାଇ ନ ଥିଲା ବୋଲି ତାଙ୍କ ସମର୍ଥକମାନେ ହୋହଲ୍ଲା କରିଥିଲେ। ଅମରେଶଙ୍କୁ ବୈଠକକୁ ଆସିବା ପାଇଁ ଖବର ଦିଆଯାଇଥିଲା ବୋଲି ଅନନ୍ତ କହିଥିଲେ। ‘ମୋତେ କେହି ବୈଠକ ସମ୍ପର୍କରେ କହି ନାହାନ୍ତି। ନିଜେ କଲ୍ କରି ନ ଡାକି ଅନ୍ୟ ହାତରେ ଡକାଇଲେ କାହିଁକି’ ବୋଲି ଅମରେଶ ପ୍ରଶ୍ନ କରିଥିଲେ। ଏହା ପରେ ଉଭୟ ମୁହାଁମୁହିଁ ହୋଇଥିଲେ। ‘ଏଠି ନାଲି ଆଖି ଦେଖାନାଟ୍ଟଗୁଣ୍ଡାଗିରି ଚଳିବନି’ ବୋଲି ଅନନ୍ତ ତାଙ୍କୁ ସତର୍କ କରାଇଥିଲେ।

ଅମରେଶ ବି ଛାଡ଼ି ନ ଥିଲେ। ପାଲଟା ଜବାବ ଦେଇ ‘ଆପଣଙ୍କ ଇଚ୍ଛାରେ ଏଠି ସଂଗଠନ ଚାଲିବନି। ଆପଣ କାହାକୁ ଡରାଇ ରଖିପାରିବେନି’ ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ଜୋର୍ଦାର ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ବିଗୁଡ଼ିଥିବା ଦେଖି କିଛି କର୍ମୀ ହସ୍ତକ୍ଷେପ କରିଥିଲେ। ତା’ ପରେ ଉଭୟ ଗୋଷ୍ଠୀ ସେଠାରୁ ଚାଲି ଯାଇଥିଲେ। ଫଳରେ ବୈଠକ ହୋଇପାରି ନ ଥିଲା। ଏବେ ଏହି ଖବର ବାହାରକୁ ଆସିଲା ପରେ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ଦିନ ଧରି ଅନନ୍ତ-ଅମରେଶଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏହା ପରିଣତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe