କନକ ବ୍ୟୁରୋ: ବିଜେଡି ନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ଗତକାଲି ବିଜେଡି ସୁପ୍ରିମୋ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିବା ପରେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅମର ଶତପଥୀ । ସେ କହିଛନ୍ତି, ନବୀନ ପଟ୍ଟନାୟକ ବର୍ତ୍ତମାନ ଯେମିତି ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି ଯଦି ପୂର୍ବରୁ ଏମିତି କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନଥାନ୍ତୁ । ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମଟେ ହାତକୁ ନେଇଛନ୍ତି ଦଳର ସୁପ୍ରିମୋ ।

Advertisment

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ବ୍ୟତିକ୍ରମ ହୋଇଥିଲା, ଯାହାକି ନିର୍ବାଚନରେ ପ୍ରସଙ୍ଗ ହେଲା । ଆଜି ସେ ସ୍ଥିତି ନାହିଁ ବୋଲି ସେ କହିଛନ୍ତି । ଏଥିସହ ଓଡିଶା ପାଇଁ ଭଲଦିନ ଆସୁଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଜାୟ ରହିବା ଦରକାର । ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରହିବା ଉଚିତ୍ । ଦଳର ସୁପ୍ରିମୋ ବର୍ତ୍ତମାନ ଯେଉଁ ଦାୟିତ୍ଵ ବଣ୍ଟନର ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଅମର ଶତପଥୀ ।

ଏଥିସହ ଓଡିଶାରେ ଚଳିତ ଥର ନୂଆ ନୂଆ ପରମ୍ପରା ବି ଆରମ୍ଭ ହୋଇଛି । ଯେପରିକି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ବିରୋଧୀ ଦଳ ନେତା ଆସିବ ହେଉ, କି ବିରୋଧୀ ଦଳର ନେତାଙ୍କ ଚିଠି ର ଉତ୍ତର ତୁରନ୍ତ ମୁଖ୍ୟମନ୍ତ୍ରୀ ଦେବା । ଏହା ଗଣତନ୍ତ୍ର ବ୍ୟବସ୍ଥାକୁ ସୁସ୍ଥ ଓ ସୁଦୃଢ କରିଛି । ଏହା ଆଗକୁ ବି ବଜାୟ ରହିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ ।

ସୂଚନାଯୋଗ୍ୟ ଯେ, ବୁଧବାର ବିଜେଡି ବିଧାୟକଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୫୦ ଜଣ ବିଧାୟକଙ୍କ ମଧ୍ୟରେ ବିଭାଗଓ୍ୱାରୀ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ । ଯାହା ପରେ ଆଜି ଏହାକୁ ସ୍ୱାଗତ କରିଛନ୍ତି ବଡଚଣାର ପୂର୍ବତନ ବିଧାୟକ ।